ଝାରସୁଗୁଡା ପୋଲିସର ବଡ ସଫଳତା : ନକଲି ଇ-ଚାଲାନ ଓ ଏପିକେ ଫାଇଲ୍ ମାଧ୍ୟମରେ ଠକେଇ କରୁଥିବା ଆନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗ ଧରାପଡିଲା
ଝାରସୁଗୁଡା, ୨୩ ମଇ (ହି.ସ.)- ଝାରସୁଗୁଡା ପୋଲିସ ସାଇବର ଠକେଇ ବିରୋଧରେ ଏକ ବଡ ସଫଳତା ହାସଲ କରିଛି। ଏପିକେ ଫାଇଲ୍ ଏବଂ ନକଲି ଇ-ଚାଲାନ ଲିଙ୍କ ମାଧ୍ୟମରେ ଲୋକଙ୍କ ମୋବାଇଲ୍ ଓ ବ୍ୟାଙ୍କ ଖାତାରୁ ଟଙ୍କା ଠକୁଥିବା ଏକ ଆନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ମାମଲା ସାଇବର ଥ
ଝାରସୁଗୁଡା ପୋଲିସର ବଡ ସଫଳତା : ନକଲି ଇ-ଚାଲାନ ଓ ଏପିକେ ଫାଇଲ୍ ମାଧ୍ୟମରେ ଠକେଇ କରୁଥିବା ଆନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗ ଧରାପଡିଲା


ଝାରସୁଗୁଡା, ୨୩ ମଇ (ହି.ସ.)- ଝାରସୁଗୁଡା ପୋଲିସ ସାଇବର ଠକେଇ ବିରୋଧରେ ଏକ ବଡ ସଫଳତା ହାସଲ କରିଛି। ଏପିକେ ଫାଇଲ୍ ଏବଂ ନକଲି ଇ-ଚାଲାନ ଲିଙ୍କ ମାଧ୍ୟମରେ ଲୋକଙ୍କ ମୋବାଇଲ୍ ଓ ବ୍ୟାଙ୍କ ଖାତାରୁ ଟଙ୍କା ଠକୁଥିବା ଏକ ଆନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ମାମଲା ସାଇବର ଥାନା କେସ୍ ନମ୍ବର ୦୩/୨୦୨୬ ଅନୁସାରେ ରୁଜୁ ହୋଇଥିଲା।

ପୁରୁଣାବସ୍ତି ଅଞ୍ଚଳର ସୁଧୀର କୁମାର ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକେଇ ମାଧ୍ୟମରେ ଅନଧିକୃତ ଭାବେ ୬ ଲକ୍ଷ ୪୦ ହଜାର ୨୯୬ ଟଙ୍କା ଉଠାଇ ନିଆଯାଇଥିଲା। ଅଭିଯୋଗ ପାଇବା ପରେ ଝାରସୁଗୁଡା ସାଇବର କ୍ରାଇମ ପୋଲିସ ତତ୍କ୍ଷଣାତ୍ ଭାରତୀୟ ନ୍ୟାୟ ସଂହିତା (BNS) ଓ ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ବୈଜ୍ଞାନିକ ଓ ଟେକ୍ନିକାଲ୍ ତଦନ୍ତ ଆରମ୍ଭ କରିଥିଲା। ଡିଜିଟାଲ୍ ପ୍ରମାଣ ସଂଗ୍ରହ, ବ୍ୟାଙ୍କ ଖାତା ଯାଞ୍ଚ ଓ ସାଇବର ଇଣ୍ଟେଲିଜେନ୍ସ ମାଧ୍ୟମରେ ପୋଲିସ ଏହି ଠକେଇ ଚକ୍ରର ସୂତ୍ର ପାଇଥିଲା। ତଦନ୍ତରେ ଜଣାପଡିଥିଲା ଯେ, ଅଭିଯୁକ୍ତମାନେ ଭୁଆ ଟ୍ରାଫିକ ଇ-ଚାଲାନ ଲିଙ୍କ ଓ ମାଲିସିୟସ ଏପିକେ ଫାଇଲ୍ ପଠାଇ ଲୋକଙ୍କ ମୋବାଇଲ୍ ହ୍ୟାକ୍ କରୁଥିଲେ ଏବଂ ବ୍ୟାଙ୍କିଙ୍ଗ ସୂଚନା ଚୋରି କରି ଟଙ୍କା ଠକୁଥିଲେ। ପୋଲିସର ବିଶେଷ ଟିମ୍ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ଚଢଉ କରି ଦୁଇ ଅଭିଯୁକ୍ତ ବାମାଚରଣ କାତାରି (୩୨) ଓ ବିଶ୍ୱଜୀତ କର୍ମକାର (୪୩)ଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପାଇଁ ଟ୍ରାନ୍ଜିଟ୍ ରିମାଣ୍ଡ ଅନୁମତି ସହ କୋର୍ଟରେ ହାଜର କରାଯାଇଛି। ଝାରସୁଗୁଡା ପୋଲିସ ବିଭିନ୍ନ ବ୍ୟାଙ୍କ, ପେମେଣ୍ଟ ଗେଟୱେ ଓ ଆର୍ଥିକ ସଂସ୍ଥା ସହ ସମନ୍ୱୟ ରଖି ଠକେଇ ହୋଇଥିବା ଟଙ୍କାକୁ ଫ୍ରିଜ୍ କରିବାରେ ମଧ୍ୟ ସଫଳ ହୋଇଛି। ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ୨ ଲକ୍ଷ ୯୬ ହଜାର ୧୯୮ ଟଙ୍କା ୭୩ ପଇସା ଅଭିଯୋଗକାରୀଙ୍କୁ କୋର୍ଟ ନିର୍ଦ୍ଦେଶରେ ଫେରାଇ ଦିଆଯାଇଛି।

ପୋଲିସ ସାଧାରଣ ଲୋକଙ୍କୁ ସତର୍କ କରି କହିଛି ଯେ, ଅଜଣା। ଏପିକେ ଫାଇଲ୍, ଭୁଆ ଇ-ଚାଲାନ ଲିଙ୍କ କିମ୍ବା ସନ୍ଦେହଜନକ ଏସ ଏମ ଏସ, ୱାଟସେପ ଓ ସୋସିଆଲ୍ ମିଡିଆ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କୌଣସି ଅଜଣା ଆପ୍ ଇନଷ୍ଟଲ୍ କରିବା କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ସୂଚନା ସେୟାର କରିବାରୁ ବିରତ ରହିବାକୁ ଅନୁରୋଧ କରାଯାଇଛି। ସାଇବର ଠକେଇ ଘଟିଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ କିମ୍ବା ଜାତୀୟ ସାଇବର କ୍ରାଇମ ପୋର୍ଟାଲରେ ଅଭିଯୋଗ କରିବାକୁ ପୋଲିସ ପରାମର୍ଶ ଦେଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande