
ନୂଆପଡା, ୨୩ ମଇ (ହି.ସ.)- ନୂଆପଡା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ରଶ୍ମିରଞ୍ଜନ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଅଧିକାରୀ ସ୍ୱୟଂ ପ୍ରଭା ସିଂହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା ଓ କୃଷିବନୀକରଣ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। କୃଷିବନୀକରଣ ଯୋଜନା ଅଧୀନରେ ୬୩ ହେକ୍ଟର ଜମିରେ ଚାରାରୋପଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ସମସ୍ତ ଯୋଜନାର ବର୍ତ୍ତମାନ ପ୍ରଗତି ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା ୨୧୯ଟି ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହିପରି ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପକୁ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସମାପ୍ତ କରିବାକୁ ମଧ୍ୟ କହିଥିଲେ। ଏହି ଅବସରରେ ଜିଲ୍ଲାର ପାଞ୍ଚଟି ବ୍ଲକର ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ଦେବବ୍ରତ ବିଶ୍ୱାଳ, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ, ଦେବପ୍ରିୟ ପାଣିଗ୍ରାହୀ ଓ ଦେବେନ୍ଦ୍ର କୁମାର ନାୟକ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ