


ଆମର ସାଂସ୍କୃତିକ ଭାବର ସୁରକ୍ଷା ଜରୁରୀ, ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଉ
ବଲାଙ୍ଗୀର, ୨୩ ମଇ(ହି.ସ.) – ଆଧୁନିକତାର ପ୍ରଭାବରେ ଆମର ପାରମ୍ପରିକ ଲୋକକଳା, ସଂସ୍କୃତି ତଥା ପରମ୍ପରା ଧୀରେ ଧୀରେ ହଜିଯାଉଛି। ଆମ ଅଂଚଳର ସ୍ୱତନ୍ତ୍ରତାକୁ ଦେଖାଇବାକୁ, ଏହାକୁ ଆମର ପରବର୍ତୀ ପିଢ଼ିକୁ ସମର୍ପି ଦେବାକୁ ବର୍ତମାନ ଠାରୁ ଉଦ୍ୟମ ଜରୁରୀ। ଲୋକକଳାହିଁ ଆମକୁ ପରିଚୟ ଦେଇ ଥିଲା, ଏବେ ଦେଉଛି ଓ ଆଗାମୀ ସମୟରେ ମଧ୍ୟ ଦେବ ବୋଲି ଗତ ସନ୍ଧ୍ୟାରେ ଲାଙ୍ଗୀରର ଐତିହାସିକ କୋଶଲ କଳାମଣ୍ଡଳ ପଡିଆରେ ଆୟୋଜିତ ନବମ ଲୋକକଳା ଉତ୍ସବ ୨୦୨୬ ର ଉଦ୍ଘାଟନୀ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଆହ୍ୱାନ ଦେଇଛନ୍ତି ଅତିଥି ମାନେ। ବଲାଙ୍ଗୀରର ଦୂଲଦୁଲି କଳା ପରିଷଦ ତରଫରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଲୋକକଳାର ବିଭିନ୍ନ ସ୍ୱରୂପ ପ୍ରଦର୍ଶନ ଅବସରରେ ଏହି ମତ ପ୍ରକାଶ ପାଇଛି।
ଦୂଲଦୁଲି କଳା ପରିଷଦର ସଭାପତି ଅନନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ କଳାକାର ଗୁରୁଃଶ୍ରୀ ରଞ୍ଜନ କୁମାର ସାହୁ, ମୁଖ୍ୟ ପୃଷ୍ଠପୋଷକ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ପରିଷଦର ଉପଦେଷ୍ଟା ଶତ୍ରୁଘନ ପାଣିଗ୍ରାହୀ, ପରିଷଦର ପୂର୍ବତନ ଅଧ୍ୟକ୍ଷ ଡ. ସଞ୍ଜୟ କୁମାର ମିଶ୍ର।ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବକୁ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ପୂଜା ଅର୍ଚନା କରି ଉଦଘାଟନ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳାର ଅନନ୍ୟ ଶିଳ୍ପୀ ସଂକୀର୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକ ନାଟକ କଳାକାର ତଥା ଗୁରୁ ନବଦ୍ୱିପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟଗୁରୁ ଯୁଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ ଅତିଥିମାନେ।
ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ ସନ୍ଦୀପ କୁମାର କୁଅଁର। ପରେ ପରେ ଅର୍ଜୁନ ସାହୁଙ୍କ ସଂଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଂସ୍କୃତିକ ଦଳ ବିହୁ, ଘୁଡକା ଓ ଅନ୍ୟ ନୃତ୍ୟ ପରିବେଷଣ କରିଥିଲେ।
ସୂଚନାଯୋଗ୍ୟ ଯେ ଗତକାଲି ସହସ୍ରାଧିକ କଳାକାର ଓ ବିଭିନ୍ନ ଲୋକନୃତ୍ୟ ଦଳ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ