ବୁଚାମୁଣ୍ଡାରେ ନୂତନ ନଳକୂପ ଖନନ କାର୍ଯ୍ୟର ଶୁଭାରମ୍ଭ
Mla foundation stone of borewell
ବୁଚାମୁଣ୍ଡାରେ ନୂତନ ନଳକୂପ ଖନନ କାର୍ଯ୍ୟର ଶୁଭାରମ୍ଭ


ଝାରସୁଗୁଡ଼ା, ୨୩ ମଇ (ହି.ସ.)- ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କୋଲାବିରା ବ୍ଲକ ଅନ୍ତର୍ଗତ ପରମାଣପୁର ପଞ୍ଚାୟତର ବୁଚାମୁଣ୍ଡା ଗ୍ରାମରେ ବ୍ଲକସ୍ତରୀୟ ନଳକୂପ ଖନନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ବୁଚାମୁଣ୍ଡା ଗ୍ରାମର ବେହେରାପଡ଼ା ଭାଗବତ ଟୁଙ୍ଗି ନିକଟରେ ନୂତନ ନଳକୂପ ଖନନ କାମ ଆରମ୍ଭ ହୋଇଥିବା ବେଳେ ବିଧାୟକ ଶ୍ରୀ ତ୍ରିପାଠୀ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କରିଥିଲେ।

ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ତୀବ୍ର ଗ୍ରୀଷ୍ମ ପ୍ରବାହ ଓ ଉଚ୍ଚ ତାପମାତ୍ରା ଯୋଗୁଁ ପାଣି ସମସ୍ୟା ଗୁରୁତର ରୂପ ନେଇଥିବାରୁ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗ୍ରାମକୁ ପାନୀୟଜଳ ସୁବିଧା ଯୋଗାଇବାକୁ ପ୍ରାଥମିକତା ଦିଆଯାଇଥିବା ବିଧାୟକ କହିଥିଲେ। ସେ କହିଥିଲେ ଯେ, ନିଜ ନିର୍ବାଚନମଣ୍ଡଳୀର ୪ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଥିବା ଗ୍ରାମଗୁଡ଼ିକରେ ୧୧୦ଟି ନଳକୂପ ଖନନ ପାଇଁ ପଦକ୍ଷେପ ନିଆଯାଇଛି। ସେଥିରୁ କୋଲାବିରା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ନଳକୂପ ଖୋଳାଯିବା ସହ ଆଗାମୀ ଦିନରେ ଆହୁରି ନଳକୂପ ଖନନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋସ୍ନାମୟୀ ମାରାଣ୍ଡି, କୋଲାବିରା ସହାୟକ ଯନ୍ତ୍ରୀ ରଞ୍ଜିତାବାଲା ଦାସ, ସରପଞ୍ଚ ଜାହ୍ନବୀ ପ୍ରଧାନ, ବିଧାୟକ ପ୍ରତିନିଧି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାୟ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande