
ଜୟପୁର, ୨୩ ମେ (ହି.ସ.) - ଠକେଇ ମାମଲା ରେ ଜଣେ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଲକ୍ଷ୍ମୀ କାନ୍ତ ପଣ୍ଡା । ଏନେଇ ଆଜି ଜୟପୁର ଟାଉନ ଥାନା ରେ ସାମ୍ବାଦିକ ସମ୍ମିଳନୀ କରି ଏସଡ଼ିପିଓ ଅର୍ଚିତା ମିତଲ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାଇ ୨୦୨୬ ମସିହା ମେ ୧୧ ତାରିଖ ଦିନ, ଜୟପୁରର ନୂଆ ସାହିର ବାସିନ୍ଦାମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କ ଗଳିରେ ରହୁଥିବା ଲକ୍ଷ୍ମୀକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଆର୍ôଥକ ସହାୟତା ଯୋଗାଇଦେବା ନାମରେ ବ୍ୟାଙ୍କ ଖାତା ଖୋଲିବା, ରିହାତି ଦରରେ ଋଣ ଯୋଗାଇବା, ଶୀଘ୍ର ଋଣ ବଂଟନ କରିବା ଆଦି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଓ ଆଶ୍ୱାସନା ପାଇ ଲୋକମାନେ ତାଙ୍କୁ ନଗଦ ଟଙ୍କା ଓ ଅଳଙ୍କାର ଦେଇଥିଲେ। କିନ୍ତୁ ଦିନେ ସେମାନେ ଦେଖିଲେ ଯେ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଅଛି ଏବଂ ସେ ଅଂଚଳରୁ ଫେରାର ହୋଇଯାଇଛନ୍ତି। ଏହି ମାମଲାକୁ ଗୁରୁତର ସହ ନେଇ ପୋଲିସ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କଟକ, ପୁରୀ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଭଳି ଜିଲ୍ଲାରେ ଅନେକ ଅଭିଯୋଗ ଦାଖଲ ହୋଇଛି। ସେ ଜଣେ ଫେରାର ଅଭିଯୁକ୍ତ ଥିଲେ ଏବଂ ବାଲେଶ୍ୱର ଜିଲ୍ଲାରେ ତାଙ୍କ ବିରୋଧରେ ଏନବିଡବ୍ଲୁ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।
ବିଶ୍ୱସ୍ତ ଗୁଇନ୍ଦା ସୂଚନା ଏବଂ ସାଇବର ସେଲରୁ ତଥ୍ୟ ଆଧାରରେ ଟିମ୍ ଅଭିଯୁକ୍ତ ଜଣକ ରାଉରକେଲାରେ ଥିବା ଜାଣିବାକୁ ପାଇଥିଲା । ସୂଚନା ଆଧାରରେ ଏକ ଟିମ ଅଭିଯୁକ୍ତ କୁ ଗିରଫ ପାଇଁ ରାଉରକେଲା ଯାଇ ଗିରଫ କରିଥିଲା । ଅଭିଯୁକ୍ତ ଠାରୁ ପୋଲିସ ମୋଟ ୨୦ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଥିଲା, ଯେଉଁଥିରେ ୩.୯୨ ଲକ୍ଷ ଟଙ୍କା ନଗଦ, ୧୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର, ଗୋଟିଏ ହେରା ଗ୍ଲାମର ମୋଟରସାଇକେଲ, ଏବଂ ଅପରାଧରୁ ଅର୍ଜିତ ଟଙ୍କାରେ କିଣାଯାଇଥିବା ଅନ୍ୟାନ୍ୟ ସାମଗ୍ରୀ ଯେପରିକି ଏସି , ଫର୍ଣ୍ଣିଚର, କମ୍ପ୍ୟୁଟର ଆଦି ରହିଛି । ଏହା ସହିତ ୧୭ ଟି ଥିବା ଆଇଏମଇ ଆଇ ୯ ଟି ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ୭ ଟି ସିମ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ପୋଲିସ ତାଙ୍କ ଘରୁ ୩୧ ଟି ଅତିରିକ୍ତ ସିମ୍ କାର୍ଡ ସହିତ ୩ ଟି ମେମୋରୀ କାର୍ଡ ମଧ୍ୟ ପାଇଥିଲା। ପ୍ରମାଣ ଆଧାରରେ ପୋଲିସ ଟିମ୍ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ବିଏନଏସ ଧାରା ୩୧୬/୩୧୮/୧୧୧ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା । ଆର୍ôଥକ ଅପରାଧର ଗମ୍ଭୀରତା ଏବଂ ଅଭିଯୁକ୍ତଙ୍କ ବାରମ୍ବାର ଅପରାଧ କରିବାର ଅଭ୍ୟାସକୁ ଦୃଷ୍ଟିରେ ରଖି ୧୧୧(୨)(ବି) ଧାରା ମଧ୍ୟ ଯୋଡାଯାଇଛି।
ଏଥିସହିତ ଯେତେବେଳେ କେହି ଆପଣଙ୍କୁ ଶୀଘ୍ର ଲାଭ କିମ୍ବା ରିହାତି ସୁଧରେ ଋଣ ଦେବାର ପ୍ରତିଶ୍ରୁତି ଦିଅନ୍ତି, ସଚେତନ ରୁହନ୍ତୁ, କାରଣ ଏହା ସମ୍ଭବତଃ ଏକ ଠକେଇ,. କେବେବି କାହାକୁ ଓଟପି ସେୟାର କରନ୍ତୁ ନାହିଁ, ଡିଜିଟାଲ ମାଧ୍ୟମରେ ପେମେଂଟ କରନ୍ତୁ, କାରଣ ଏହା ଟ୍ରେସ୍ କରିବାରେ ସାହାଯ୍ୟ କରେ ଏବଂ ଏକ ପ୍ରମାଣ ଭାବରେ ମଧ୍ୟ କାର୍ଯ୍ୟ କରେ, କେବଳ ପ୍ଲେ ଷ୍ଟୋର କିମ୍ବା ଆପ୍ପ ଷ୍ଟୋର୍ରେ ମାଧ୍ୟମରେ ହିଁ ଅଧିକୃତ ଟଚଓ ଆପ୍ ଡାଉନଲୋଡ୍ କରନ୍ତୁ, କୌଣସି ଲିଙ୍କ୍ / ଏପିକେ ଫାଇଲ୍ ମାଧ୍ୟମରେ ନୁହେଁ, କାରଣ ସେଗୁଡ଼ିକ ମୋଟେ ସୁରକ୍ଷିତ ନୁହେଁ ବୋଲି ଏସଡ଼ିପିଓ ସଚେତନତା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି