


ବଲାଙ୍ଗିର, ୨୩ ମଇ (ହି.ସ.)- ବଲାଙ୍ଗୀର ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲର ସମର୍ କ୍ୟାମ୍ପ ‘ଧୂପ୍ ଧମାକା ୨୦୨୬’ର ଉଦଯାପନୀ ଉତ୍ସବ ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବରେଣ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଯୋଗଦେଇଥିଲେ।
ଏହି ଅବସରରେ ଛବିଳ ପ୍ରଧାନ ଓ ଗୋପାଳ ପ୍ରଧାନଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀମାନେ ଏକ ନୃତ୍ୟ-ନାଟିକା ମାଧ୍ୟମରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପିଲାମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଏହାକୁ ପ୍ରଦର୍ଶନ କରିଥିଲେ।
ଏହି ପ୍ରଦର୍ଶନ ମାଧ୍ୟମରେ ସମାଜକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି — ଆଜି ସମସ୍ତେ ଡାକ୍ତର, ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, କିନ୍ତୁ ଦେଶ ପାଇଁ ଜଣେ ସ୍ୱାଧୀନତା ସଂଗ୍ରାମୀ ହେବାର ସ୍ୱପ୍ନ କେହି ଦେଖୁନାହାଁନ୍ତି। ଓଡିଶା ମାଟିର ବୀର ପୁତ୍ର ବୀର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟବନ୍ତୀ ରଥ, ଡାଇରେକ୍ଟର ଶ୍ରୀମତୀ ସ୍ୱାତୀ ମିଶ୍ର, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଫ୍ୟାକଲ୍ଟି ସଦସ୍ୟମାନେ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ