
କନ୍ଧମାଳ, ୨୪ ମଇ (ହି.ସ.)- କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମନରେଗା କାର୍ଯ୍ୟରେ ୩୮ ଲକ୍ଷ ଟଙ୍କା ହେରଫେର ହୋଇଥିବା ଜଣାପଡିଛି। ଘଟଣାର ତଦନ୍ତ ପରେ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଆଉ ଦୁଇ ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସରକାରଙ୍କ ନିକଟରେ ସୁପାରିଶ କରିଛନ୍ତି ଜିଲ୍ଲାପାଳ।
ଏହି ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ନେତୃତ୍ଵରେ ଏକ ବୈଷୟିକ ଟିମ୍ ଘଟଣାର ତଦନ୍ତ କରିଥିଲା। ତଦନ୍ତରେ ବ୍ଲକର ସହକାରୀ ଉନ୍ନୟନ ଅଧିକାରୀ (ଏଡିଓ) କାଂଶିରାମ ଦିଗାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁତନ୍ଯ ମହାକୁଡ, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ମିଳିମିଶି ବ୍ଲକର ଧରାକୋଟ ପଞ୍ଚାୟତରେ ପୋଖରୀ ଖନନ ରାସ୍ତା ନିର୍ମାଣ କାମରେ ନିର୍ମାଣ ପାଇଁ ବିଭିନ୍ନ ରମେଟେରିଆଲ୍ କିଣା ଯାଇଥିବା ଦର୍ଶାଇ ୩୮ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଜଣାପଡିଥିଲା । ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ଜିଲ୍ଲାପାଳ, କାଂଶିରାମ ଦିଗାଲ ଓ ସୁତନ୍ଯ ମହାକୁଡଙ୍କୁ ନିଲମ୍ବନ କରିବା ସହିତ ପ୍ରଶାନ୍ତ କୁମାର ପାତ୍ର ଓ ପ୍ରଫୁଲ୍ଲ କୁମାର ବେହେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିସ କରିଛନ୍ତି। ତେବେ ଏମାନଙ୍କ ଦ୍ବାରା ଆତ୍ମସାତ ହୋଇଥିବା ଏହି ଟଙ୍କା ୧୫ ଦିନ ମଧ୍ୟରେ ଆଦାୟ କରାଯିବ ନଚେତ୍ ସେମାନଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ ବୋଲି ଶ୍ରୀ ନନ୍ଦୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ