
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଯୋଗ ଦେବେ
ଭୁବନେଶ୍ୱର, ୨୪ ମଇ (ହି.ସ)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଚଳିତ ବର୍ଷ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଠାରେ ୨୯,୩୦,ଏବଂ ୩୧ ମଇରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସମଗ୍ର ଦେଶରୁ ୭୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବାକୁ ଯାଉଛନ୍ତି।ଏଥି ନିମନ୍ତେ ରବିବାର ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ .ବିରେନ୍ଦ୍ର ସିଂ ସୋଲାଙ୍କି ଭୁବନେଶ୍ୱରରେ ପହଂଚିଛନ୍ତି।
ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ଡ. ସୋଲାଙ୍କିଙ୍କୁ ଓଡ଼ିଶାର କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦର ଠାରେ ସାମ୍ୱାଦିକ ମାନଙ୍କୁ ଡ. ସୋଲାଙ୍କି କହିଛନ୍ତି ଯେ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଲଘୁ ଭାରତର ଦର୍ଶନ କରାଇବ,ଯେଉଁଥିରେ ଭାରତର ସାଂସ୍କୃତିକ ସମାବେଶ ହେବା ସହିତ,ରାଷ୍ଟ୍ରର ଶୈକ୍ଷିକ,ସାମାଜିକ ସ୍ଥିତି ବିନ୍ଦୁ ଉପରେ ବିସ୍ତୃତ ଚର୍ଚ୍ଚା ହେବାକୁ ଯାଉଛି।ଯାହା ଆଗାମୀ ଏକ ବର୍ଷର ନୀତି ନିର୍ଦ୍ଧାରଣ କରିବା ସହ ବର୍ଷ ତମାମ ବିଦ୍ୟାର୍ଥୀ ପରିଷଦ କ୍ୟାମ୍ପସରେ କାର୍ଯ୍ୟ କରିବ।
ଏହି ଅବସରରେ ରାଜ୍ୟ ସମ୍ପାଦକ ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି ଯେ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଓଡ଼ିଶାରେ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟର ମାଇଲ ଖୁଣ୍ଟ ସ୍ଥାପନରେ ନୂତନ ଦିଶା ପ୍ରଦାନ କରିବ।ଏବଂ ଓଡ଼ିଶାର କାର୍ଯ୍ୟକର୍ତାମାନେ ସମଗ୍ର ରାଷ୍ଟ୍ରର କାର୍ଯ୍ୟକର୍ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟିକୁ ଭବ୍ୟ ସ୍ୱାଗତ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା