
ଭୁବନେଶ୍ୱର, ୨୪ ମଇ (ହି.ସ)- ଏଆଇଏସ୍ଏଫ୍ ପକ୍ଷରୁ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ପେପର୍ ଲିକ୍ ଘଟଣାର ପ୍ରତିବାଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରିବା ସହ ଇସ୍ତଫା ଦାବୀ କରାଯାଇଛି। ଛାତ୍ର ସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନାଙ୍କ ନେତୃତ୍ୱରେ ରବିବାର ଦିନ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଠାରେ ପ୍ରତିକାତ୍ମକ ଢଙ୍ଗରେ ବେକରେ ଅସରପା ଆଡମିଟ୍ କାର୍ଡ ପକାଇ ଦୁର୍ନୀତିଗ୍ରସ୍ତ ପରୀକ୍ଷା ବ୍ୟବସ୍ଥାର ପରିବର୍ତନ ପାଇଁ ଏନଟିଏ ଓ ନିଟ୍ ଉଚ୍ଛେଦ ପାଇଁ ଦାବି କରାଯାଇଥିଲା। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ଯାତାୟତ ସୁବିଧା ସହ ଅନ୍ୟୁନ ୧୦୦୦ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ଦାବି କରାଯାଇଛି।
ଏହି ଅବସରରେ ସଭାପତି କହିଛନ୍ତି ଯେ ସରକାରଙ୍କ ଅପାରଗତା ଓ ଦୁର୍ନୀତିଖୋର୍ ମନୋଭାବ ପାଇଁ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଶାରୀରିକ, ଆର୍ôଥକ ଓ ମାନସିକ ନିର୍ଯାତନା ଭୋଗୁଛନ୍ତି। ବାରମ୍ବାର ପେପର୍ ଲିକ୍ ପିଲାଙ୍କ ମନୋବଳ ଭାଙ୍ଗିବା ସହ ବ୍ୟବସ୍ଥାର ଅପାରଗତାକୁ ପଦାରେ ପକାଇଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି, ଶିକ୍ଷା ଓ ରୋଜଗାର ଅପେକ୍ଷାରେ ଥିବା ଛାତ୍ରଛାତ୍ରୀଙ୍କ ଉପରେ କୋଚିଂ ବ୍ୟବସ୍ଥାର ମରୀଚିକାକୁ ଲଦି ଦିଆଯାଉଛି । ଯାହାଫଳରେ ଅଧ୍ୱକାଂଶ ଗରିବ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଡାକ୍ତରୀ ଶିକ୍ଷାରୁ ବଂଚିତ ହେଉଛନ୍ତି। ୨୦୨୪ ନିଟ୍ ପେପର୍ ଲିକ୍ ଘଟଣା ପରେ ଅଧ୍ୟକ୍ଷଙ୍କୁ ନାମକୁ ମାତ୍ର ବଦଳି କରାଯାଇଥିଲା। କିନ୍ତୁ, ପରୀକ୍ଷା ବ୍ୟବସ୍ଥାର କେନ୍ଦ୍ରୀକରଣ ଓ ପ୍ରବେଶିକା ପରୀକ୍ଷା ଆଳରେ ବାରମ୍ବାର ଛାତ୍ର ସମାଜକୁ ଲୁଣ୍ଠନ କରିବା ପ୍ରକ୍ରିୟା ଅବ୍ୟାହତ ରହିଛି। ଚଳିତ ବର୍ଷ ପେପର୍ ଲିକ୍ ଘଟଣାରେ ବି.ଜେ.ପି. ନେତାଙ୍କ ସମ୍ପୃକ୍ତି, ଶ୍ରେଷ୍ଠ ଭାରତର ନିକୃଷ୍ଟ ସରକାରଙ୍କ ଭୂମିକାକୁ ନେଇ ସଂଶୟ ସୃଷ୍ଟି କରୁଛି। ଏଣୁ ନୈତିକତା ଦୃଷ୍ଟିରୁ ଛାତ୍ରସମାଜ ନିକଟରେ ଉତରଦାୟୀ ରହି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି ଛାତ୍ର ସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା କହିଛନ୍ତି। ମନ୍ତ୍ରୀ ତୁରନ୍ତ ଇସ୍ତଫା ନଦେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏଆଇଏସ୍ଏଫ୍ ଲଢ଼ିବ ବୋଲି ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡ଼ା ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା