


ବଲାଙ୍ଗିର, ୨୪ ମଇ (ହି.ସ.)- ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ବଲାଙ୍ଗିର ସହର ଜନଶୂନ୍ୟ ହେଉଥିବା ବେଳେ ସହରର ଚତୁଃପାର୍ଶ୍ୱରେ ଥିବା ଇଟା ଭାଟି ମାନଙ୍କରେ ଲୋକେ କାମ କରୁଥିବା ଦେଖିବାକୁ ମିଳୁଛି। ସରକାର ଲାଲ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବର୍ଷ ବର୍ଷ ଧରି ଇଟା ଭାଟି ମାଲିକ ମାନେ ସରକାରୀ ନିୟମଉଲଂଘନ କରି ଇଟା ବ୍ୟବସାୟ କରି ମାଲେମାଲ୍ ହେଉଥିବା ବେଳେ ହଜାର ହଜାର ବୃକ୍ଷ କଟି ଭାଟିରେ ପୋଡ଼ୁଛି। ଜଙ୍ଗଲ ବିଭାଗର ନିଷ୍କ୍ରିୟତା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ଥିବା ପ୍ରଜା ବୃକ୍ଷ ଗୁଡ଼ିକ କଟି ପଦା ହେବାକୁ ବସିଲାଣି। ଏହାସହ ଜଙ୍ଗଲ ଭିତରେ ଥିବା ଦାମୀ ବୃକ୍ଷ ଗୁଡ଼ିକ ମଧ୍ୟ ଇଟା ଭାଟିରେ ପୋଡ଼ି ପାଉଁଶ ହୋଇଯାଉଛି। ଏ ବିଷୟକୁ ନେଇ ପ୍ରମାଣ ସହ ଡିଏଫ୍ଓ ଙ୍କୁ ଜଣାଇବାରୁ ପ୍ରତ୍ୟୁତ୍ତରରେ କାଠ ପରିବହନ ବେଳେ କୁଆଡେ ଜଙ୍ଗଲ ବିଭାଗ କାଠ ଜବତ କରିବାର ନିୟମ ଅଛି। ବୃକ୍ଷ କଟାଯାଇ ଗୋଟିଏ ସ୍ଥାନରେ ଜମା କରି ରଖିଥିଲେ କିମ୍ବା ଇଟା ଭାଟିରେ ପୋଡ଼ିଲେ ମଧ୍ୟ ଜଙ୍ଗଲ ବିଭାଗ ସେହି କାଠକୁ ଜବତ କରି ପାରିବେ ନାହିଁ ବରଂ କିଛିଟା ପେନାଲ୍ଟୀ କାଟି ପାରିବେ ବୋଲି ଡିଏଫ୍ଓ ଦୃଢୋକ୍ତିର ସହ ଜବାବ୍ ଦେଇଥିଲେ। କଟି ଥିବା ବୃକ୍ଷ ପ୍ରଜାର ନା ଜଙ୍ଗଲର ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ନୁହେଁ। ତେବେ ଘର ଏବଂ ବିଭିନ୍ନ ସ୍ଥାନରେ ଜମା କରି ରଖାଯାଇଥିବା କାଠ ପଟା, ବହ୍ଲା ଇତ୍ୟାଦି ପରିବହନ ହେଉ ନଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘର ଘର ପଶି ସରକାରଙ୍କ କେଉଁ ନିୟମ ବଳରେ ସେ ଦ୍ରବ୍ୟକୁ ଜବତ କରିବା ସହ କେସ ରୁଜୁ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୁଏ। ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ନିମନ୍ତେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦୁର୍ବଳତାର ସୁଯୋଗ ନେଇ ଜଙ୍ଗଲ ମାଫିଆମାନେ ଜଙ୍ଗଲରେ ଥିବା ନାମୀ ଦାମୀ ବୃକ୍ଷକୁ କାଟି ନେବାରେ ସଫଳ ହେଉଛନ୍ତି। ଇଟା ଭାଟି ମାନଙ୍କରେ ଜମା ଥିବା ବୃକ୍ଷ ଗୁଡ଼ିକୁ ଯଦି ଜବତ କରାଯାଏ ତେବେ ବିନା କାଠରେ ଭାଟି ଜଳିବା ଅସମ୍ଭବ। ଜଙ୍ଗଲ ବିଭାଗର ଟିକିଏ ତତ୍ପର ଜିଲ୍ଲାରେ ଲାଲ ଇଟା ଭାଟି ରୋକିବାରେ ସଫଳ ହେବ । ଇଟା ଭାଟି ଜଳିବା ଯୋଗୁଁ ସହର ଉତ୍ତପ୍ତ ହେଉଛି। ଜଙ୍ଗଲରେ ବନ୍ୟଜନ୍ତୁମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏଣୁ ଅନେକ ସମୟରେ ସହରମୁହାଁ ହୋଇ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ସହର ନିକଟ ଗ୍ରାମ ସୁର୍ଡା ଅଞ୍ଚଳରେ ଅନେକ ଲାଲ ଇଟାଭାଟି କାଠରେ ପୋଡୁଥିବା ବେଳେ ପୁଇନ୍ତଲା ତହସିଲ, ଖଣି ବିଭାଗ ଏବଂ ଜଙ୍ଗଲ ବିଭାଗର ନିଘା ନାହିଁ। ସୁର୍ଡ଼ା ଗ୍ରାମର ଜୈନେକ ଇଟା ଭାଟି ମାଲିକ ପ୍ରାୟ ୭/୮ ଟି ଇଟା ଭାଟି କରିଛନ୍ତି। ସେହି ଭାଟିରୁ ପ୍ରାୟ ୫/୬ ଲକ୍ଷ ଇଟା ବାହାରିବ ବୋଲି ଚର୍ଚ୍ଚା ହୁଏ। ବର୍ତ୍ତମାନ ଗୋଟିଏ ଟ୍ରାକ୍ଟରରେ ପ୍ରାୟ ୧୨୫୦ ଇଟାକୁ ୭୫୦୦ ଟଙ୍କାରୁ ୮୦୦୦ ଟଙ୍କା। ତେବେ ଏହି ଇଟା ବ୍ୟବସାୟୀ ତାଙ୍କର ସମସ୍ତ ଖର୍ଚ୍ଚ କାଟି ଗୋଟିଏ ସିଜନ୍ ରେ କେତେ ଟଙ୍କା ଲାଭ କରୁଛନ୍ତି ତଦନ୍ତ ସାପେକ୍ଷ। ତାଙ୍କ ଇଟା ଭାଟିରେ କାଠ ଗଣ୍ଡୀ ଗୁଡ଼ିକ ଲଗାଇ ଭାଟି ତିଆରି କରୁଥିବା ବେଳର ଦୃଶ୍ୟ ଡିଏଫ୍ଓ ଙ୍କ ପାଖକୁ ପଠାଯାଇଥିଲା। ଡିଏଫ୍ଓ କ'ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ