
ଚମ୍ପୁଆ, 24 ମେ (ହି.ସ.) ଚମ୍ପୁଆ ଅଞ୍ଚଳରେ ଜଣେ ଦହିବରା ବ୍ୟବସାୟୀଙ୍କ ଘୃଣ୍ୟ କାରନାମାକୁ ନେଇ ଚର୍ଚ୍ଚା ଓ ଉତ୍ତେଜନାର ପରିବେଶ ଦେଖାଦେଇଛି। ଉକ୍ତ ବ୍ୟବସାୟୀ ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କୁ ଅଇଁଠା, ବାସି ଏବଂ ଅସ୍ୱଚ୍ଛ ଖାଦ୍ୟ ପରିବେଷଣ କରୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଖବର ଅନୁସାରେ, ଚମ୍ପୁଆ ବସ୍ ଷ୍ଟାଣ୍ଡ ସାମ୍ନା ରାସ୍ତା କଡ଼ ବରଗଛ ମୂଳରେ ଥିବା ଏହି ଦହିବରା ଦୋକାନୀ ଗ୍ରାହକମାନେ ଖାଇସାରି ଛାଡ଼ିଦେଇଥିବା ଅଇଁଠା ଦହିବରାକୁ ପୁଣିଥରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ବ୍ୟବସାୟୀ ଜଣକ ଲୋକଙ୍କ ସ୍ୱାସ୍ଥ୍ୟକୁ ଅବହେଳା କରି ଅଇଁଠା ଓ ଅସ୍ୱଚ୍ଛ ଖାଦ୍ୟ ବିକ୍ରି କରୁଥିଲେ। ଏଭଳି ଘୃଣ୍ୟ କାରବାର କରୁଥିବାବେଳେ କେହି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗ୍ରାହକ ଛାଡ଼ିଥିବା ଅଇଁଠା ଦହିବରାକୁ ପୁଣିଥରେ ସେହି ପାତ୍ରରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ଦିଆଯାଉଛି । ଗତକାଲି ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚହଳ ପଡିଥିଲା ।
ଅନ୍ୟପକ୍ଷେ, ଦହିବରା ବ୍ୟବସାୟୀଙ୍କ ଖାଦ୍ୟର ଗୁଣବତ୍ତାକୁ ନେଇ କିଛି ଦିନ ଧରି ସନ୍ଦେହ ରହିଥିଲା। ଅନେକ ଲୋକ ଖାଦ୍ୟର ଗନ୍ଧ, ସ୍ୱାଦ ଏବଂ ପରିବେଷଣ ପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। କେତେକ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଖାଦ୍ୟ ଖାଇବା ପରେ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରିଥିଲେ। ତେବେ ଗତ କାଲି ଲୋକଙ୍କୁ ଅଇଁଠା ଖାଦ୍ୟ ଖୁଆଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରା଼ଲ ହେବା ପରେ ଘଟଣାର ସତ୍ୟତା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଥିଲା। କ୍ଷୁବ୍ଧ ଜନସାଧାରଣ ଆଜି ସକାଳୁ ଏକତ୍ରିତ ହୋଇ ବ୍ୟବସାୟୀଙ୍କୁ ଅଟକ ରଖି ପଚାରାଉଚରା କରିଥିଲେ। ପରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଯାଇଥିବା ବେଳେ କିଛି ସ୍ଥାନୀୟ ଲୋକ ଉତ୍ତମ ମଧ୍ୟମ ଦେଇଥିବା ଜଣା ପଡିଛି । ଖବର ପାଇ ଚମ୍ପୁଆ ପୋଲିସ୍ ଓ ଏନଏସି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ପରେ ସ୍ଥାନୀୟ ଲୋକେ ଉକ୍ତ ଦହିବରା ବ୍ୟବସାୟୀଙ୍କୁ ପୋଲିସ ହାତରେ ହସ୍ତାନ୍ତର କରିଥିଲେ। ଦୋକାନୀଙ୍କ ଦୁଇ ଚକିଆ ଯାନ ସହ ବିକ୍ରି ପାଇଁ ରଖାଯାଇଥିବା ସମସ୍ତ ଦହିବରା ଓ ଅନ୍ୟାନ୍ୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଜବତ କରା ଯିବାପରେ ପ୍ରସ୍ତୁତ ଖାଦ୍ୟ ସବୁ ନଷ୍ଟ କରିଦିଆ ଯାଇଛି । ଚମ୍ପୁଆ ପୋଲିସ୍ ସମ୍ପୃକ୍ତ ଦୋକାନୀ ରମାକାନ୍ତ ଖୁଣ୍ଟିଆଙ୍କୁ ଥାନାରେ ଅଟକ ରଖିଛି ତଦନ୍ତ ଚଳାଇଛି ।
ଏହି ଘଟଣା ପରେ ଚମ୍ପୁଆ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ପୁଣିଥରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଉକ୍ତ ଦହି ବରା ବିକାଳୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏଭଳି ଖାଦ୍ୟ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖିବା ଏବଂ ରାସ୍ତା କଡରେ ଦୈନିକ ଲାଗୁଥିବା ଠେଲା, ହୋଟେଲ ଗୁଡିକ ଉପରେ ନିୟମିତ ଯାଞ୍ଚ କରିବାକୁ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଚମ୍ପୁଆ ପ୍ରଶାସନ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta