ଚମ୍ପୁଆ ବସଷ୍ଟାଣ୍ଡ ସମ୍ମୁଖରେ ବେପରୁଆ ପାର୍କିଂକୁ ନେଇ ବଢୁଛି ଅସନ୍ତୋଷ
ଚମ୍ପୁଆ, ୨୪ ମେ (ହି.ସ.) - ଚମ୍ପୁଆ ଏନଏସି ଅନ୍ତର୍ଗତ ଚମ୍ପୁଆ ବସ ଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥ ଉପରେ ବସ ଏବଂ ଅଟୋ ଚାଳକମାନଙ୍କ ବେପରୁଆ ପାର୍କିଂ ଯୋଗୁଁ ପ୍ରତିଦିନ ସ୍ଥାନୀୟ ଅଂଚଳରେ ଉଦବେଗଜନକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଯାତ୍ରୀ ଉଠାଇବା ଓ ଓହ୍ଲାଇବା ଆଳରେ ରାସ୍ତା ମଝିରେ ଗାଡ଼ିଗୁଡ଼ିକୁ ଅ
ଚମ୍ପୁଆ ବସଷ୍ଟାଣ୍ଡ ସମ୍ମୁଖରେ ବେପରୁଆ ପାର୍କିଂକୁ ନେଇ ବଢୁଛି ଅସନ୍ତୋଷ


ଚମ୍ପୁଆ, ୨୪ ମେ (ହି.ସ.) - ଚମ୍ପୁଆ ଏନଏସି ଅନ୍ତର୍ଗତ ଚମ୍ପୁଆ ବସ ଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥ ଉପରେ ବସ ଏବଂ ଅଟୋ ଚାଳକମାନଙ୍କ ବେପରୁଆ ପାର୍କିଂ ଯୋଗୁଁ ପ୍ରତିଦିନ ସ୍ଥାନୀୟ ଅଂଚଳରେ ଉଦବେଗଜନକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଯାତ୍ରୀ ଉଠାଇବା ଓ ଓହ୍ଲାଇବା ଆଳରେ ରାସ୍ତା ମଝିରେ ଗାଡ଼ିଗୁଡ଼ିକୁ ଅଟକାଇ ରଖାଯାଉଥିବାରୁ ଏହି ପ୍ରମୁଖ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଜାତୀୟ ରାଜପଥଟି ଅଣଓସାରିଆ ହୋଇ ଥିବା ବେଳେ ବସ ଓ ଅଟୋ ଚାଳକମାନେ ନିର୍ଦ୍ଧାରିତ ପାର୍କିଂ ସ୍ଥଳ ବ୍ୟବହାର ନକରି, ମୁଖ୍ୟ ରାଜପଥ ଉପରେ ହିଁ ବେଆଇନ ଭାବେ ଗାଡ଼ିଗୁଡ଼ିକୁ ଲମ୍ବା ଧାଡ଼ିରେ ଠିଆ କରୁଛନ୍ତି। ଅଧିକ ଯାତ୍ରୀ ପାଇବା ଆଶାରେ ବସ ଷ୍ଟାଣ୍ଡ କୁ ଛାଡି ବସ ଓ ଅଟୋ ବାଲାଙ୍କ ମଧ୍ୟରେ ରାସ୍ତା ଉପରେ ହିଁ ମନମାନି ଓ ପ୍ରତିଯୋଗିତା ଚାଲୁଛି। ଯାହା ଫଳରେ ସାଧାରଣ ପରିବହନ ସମ୍ପୂର୍ଣ୍ଣ ଜାମ ହୋଇଯାଉଛି। ଜାତୀୟ ରାଜପଥରେ ଗାଡ଼ି ଅଟକାଇବା ନିଷେଧ ଥିଲେ ମଧ୍ୟ ଏହାକୁ ବେଖାତିର କରାଯାଉଛି। ଅନ୍ୟ ପକ୍ଷେ ଚମ୍ପୁଆ ଏକ ଖଣି ପ୍ରବଣ ଅଂଚଳ ହୋଇଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଭାରୀଯାନ (ଟ୍ରକ ଓ ହାଇୱା) ଯାତାୟାତ କରିଥାଏ। ବସ-ଅଟୋର ଏଭଳି ମନମାନି ଯୋଗୁଁ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ସାଧାରଣ ପଥଚାରୀଙ୍କ ଜୀବନ ବିପଦପନ୍ନ ହେଉଛି। ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ରାସ୍ତା ଜାମ ରହୁଥିବାରୁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଭଳି ଜରୁରୀକାଳୀନ ଗାଡ଼ିଗୁଡ଼ିକ ଠିକ୍ ସମୟରେ ପହଂଚିପାରୁ ନଥିବା ଅଭିଯୋଗ ହେଉଛି। ସକାଳ ଏବଂ ସନ୍ଧ୍ୟାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ କାର୍ଯ୍ୟାଳୟକୁ ଯାଉଥିବା କର୍ମଚାରୀଙ୍କ ସମେତ ଜନ ସାଧାରଣ ଚମ୍ପୁଆ ବସ ଷ୍ଟାଣ୍ଡ ଅଂଚଳରେ ବସ ଏବଂ ଅଟୋ ଚାଳକଙ୍କ ଏଭଳି ବେପରୁଆ ପାର୍କିଂ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥ ଭଳି ଏକ ବ୍ୟସ୍ତବହୁଳ ରାସ୍ତାରେ ଏପରି ବେପରୁଆ ଗାଡି ପାର୍କିଂ ଦୁର୍ଘଟଣାର ଆଶଙ୍କାକୁ ଦ୍ୱିଗୁଣିତ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ବସ ଏବଂ ଅଟୋ ବାଲାଙ୍କ ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ତେଣୁ ଅଟୋ ଗୁଡିକ ପାଇଁ ଜାତୀୟ ରାଜପଥ ଠାରୁ ଦୂରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ବସଗୁଡ଼ିକ ବସ ଷ୍ଟାଣ୍ଡ ଭିତରେ ହିଁ ଛିଡା କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି। ତା ସହିତ ବସ ଷ୍ଟାଣ୍ଡ ଉପରେ ବେଆଇନ ଭାବେ ରାଜପଥ ଉପରେ ଗାଡ଼ି ରଖୁଥିବା ଅମାନିଆ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ଦିଗରେ ସ୍ଥାନୀୟ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande