ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ବେଳକୁ କେହି କାନ୍ଧ ଦେଲେନି, ଶବ ସତ୍କାର କଲେ ସମାଜସେବୀ
ବଲାଙ୍ଗିର, ୨୪ ମଇ (ହି.ସ.)- ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରେ ବସତି ସ୍ଥାପନ ପାଇଁ ଯୋଜନା କରୁଥିବା ବେଳେ ଆଧୁନିକ ଯୁଗରେ ମଧ୍ୟ କୁ- ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଜୀବିତ ଅଛି | କୁ- ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଆଗରେ ଉଚ୍ଚ ଶିକ୍ଷା, ଶିକ୍ଷିତ ସମାଜ ଆଜି ବି ମୁଣ୍ଡ ନୁଆଁଇଛ
ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ବେଳକୁ କେହି କାନ୍ଧ ଦେଲେନି - ଶବ ସତ୍କାର କଲେ ସମାଜସେବୀ |


ବଲାଙ୍ଗିର, ୨୪ ମଇ (ହି.ସ.)- ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରେ ବସତି ସ୍ଥାପନ ପାଇଁ ଯୋଜନା କରୁଥିବା ବେଳେ ଆଧୁନିକ ଯୁଗରେ ମଧ୍ୟ କୁ- ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଜୀବିତ ଅଛି | କୁ- ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଆଗରେ ଉଚ୍ଚ ଶିକ୍ଷା, ଶିକ୍ଷିତ ସମାଜ ଆଜି ବି ମୁଣ୍ଡ ନୁଆଁଇଛି | ଅନ୍ୟ ଜାତିରେ ବିବାହ କରିବା କ'ଣ ଭୁଲ ? ଅନ୍ୟ ଜାତିରେ ବିବାହ କରିବା କ'ଣ ପାପ ? ମଣିଷକୁ କ'ଣ ଏଇଥି ପାଇଁ ଶ୍ରେଷ୍ଠ ଜୀବ କୁହାଯାଏ ? ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତର ବେହେରାବନ୍ଧ ଗ୍ରାମରେ | ଗ୍ରାମର ପଞ୍ଚସ୍ତରୀ ବର୍ଷୀୟ ବୃଦ୍ଧ ପୁଟୁ ମଲ୍ଲିକଙ୍କ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି | ତାଙ୍କର ସ୍ତ୍ରୀ ଅନ୍ୟ ଜାତିର ଏବଂ ବିଗତ ଦୁଇ ବର୍ଷ ପୂର୍ବେ ତାଙ୍କର ଦେହାନ୍ତ ହୋଇଛି | ବର୍ତମାନ ତାଙ୍କର ପୁଅ କେହି ନାହାନ୍ତି, କେବଳ ଝିଏ ଟିଏ ସେ ମଧ୍ୟ ବାହା ହୋଇ ସାରିଛନ୍ତି | ମୃତ୍ୟୁ ସମୟରେ ତାଙ୍କର ଶବକୁ ଚାରି କାନ୍ଧ ଦେବାକୁ, ଶବ ସତ୍କାର କରିବାକୁ ନିଜ ସମ୍ପର୍କୀୟ କିମ୍ବା ଗାଁ ଲୋକ ମଧ୍ୟ କେହି ବାହାରିଲେ ନାହିଁ | ସମସ୍ତଙ୍କୁ କେବଳ ଜାତି ବାସନ୍ଦ ଭୟ, ଆମ୍ଭେ ଶବ ସତ୍କାର କିମ୍ବା ଶବ ସତ୍କାର କାର୍ଯ୍ୟରେ ସହଯୋଗ କଲେ କାଳେ ଆମ୍ଭକୁ ମଧ୍ୟ ଜାତିରୁ ବାସନ୍ଦ କରିଦେବେ ଭୟରେ କେହି ପାଖକୁ ମଧ୍ୟ ଆସିଲେ ନାହିଁ | ପ୍ରାୟ ଦୁଇ ଘଣ୍ଟା ଧରି ନିଜ ଘରେ ଶବ ପଡ଼ି ରହିଲା | ଶବ ସତ୍କାର କରିବା ପାଇଁ ସମାଜସେବୀ ତଥା ଆଦିବାସୀ ନେତା ଗିରିରାଜ ଭୋଇଙ୍କୁ ରାତ୍ରୀ ପ୍ରାୟ ୮ଟା ସମୟରେ ଫୋନ୍ କରି ଘଟଣା ବିଷୟରେ ଅବଗତ କରେଇଲେ | ଖବର ପାଇ ଗିରିରାଜ ଭୋଇଙ୍କ ସହିତ ସମାଜସେବୀ ଜନସନ ନାଗ, ସାମ୍ବାଦିକ ପ୍ରବୀଣ ଭାଇ ପୁରୋହିତ, ସାମ୍ବାଦିକ ଅଭିମନ୍ୟୁ ବାଗ ଘଟଣାସ୍ଥଳରେ ପହଁଞ୍ଚି ଥିଲେ | ପ୍ରଥମେ ଗ୍ରାମର କିଛି ବ୍ୟକ୍ତିଙ୍କୁ ଶବ ସତ୍କାର କରିବାକୁ ଅନୁରୋଧ କରିଥିଲେ ସମାଜସେବୀମାନେ | ସାମାଜିକ ବାସନ୍ଦ ଭୟରେ ହଁ କହିବା ତ ଦୂରର କଥା ଘରୁ ବାହାରକୁ ମଧ୍ୟ କେହି ବାହାରିଲେ ନାହିଁ | ଶବ ପଡିଥିବାରୁ ସେତେବେଳ ପର୍ଯ୍ୟନ୍ତ ଗାଁରେ ରୋଷେଇ ମଧ୍ୟ ବନ୍ଦ ଥିଲା | ଶବ ସତ୍କାର କରିବା ପାଇଁ ସ୍ମଶାନ ଘାଟକୁ ଯିବାକୁ କହିବାରୁ ମଧ୍ୟ କେହି ବାହାରିଲେ ନାହିଁ | ଶେଷରେ ଚାରି ଜଣ ସମାଜସେବୀ ସସମ୍ମାନେ ଖଟରେ ବୋହି ରାତ୍ରିରେ ମୋବାଇଲ ଲାଇଟ ସାହାଯ୍ୟରେ ପ୍ରାୟ ଏକ କିଲୋମିଟର ଦୂର ଶ୍ମଶାନ ଘାଟ ନଦୀ ପାଖକୁ ନେଇଥିଲେ | ସେଠାରେ ସମାଧି ଦେବା ପାଇଁ ଖାଲ ଖୋଳା ଯାଇଥିଲା ଓ ଶବକୁ ସମ୍ମାନର ସହ ସମାଧି ଦିଆଯାଇଥିଲା | ଅନ୍ଧାରୀଆ ରାତ୍ରୀ ହୋଇ ଥିବାରୁ ତଳେ ସାପ, ବିଛା, ବିଷାକ୍ତ କୀଟ ପତଙ୍ଗକୁ ଯେତିକି ଭୟ ଥିଲା ତା' ଠାରୁ ଅଧିକ ଭୟ କିଛି ଦିନ ତଳେ ଅଞ୍ଚଳକୁ ଆସିଥିବା ଦୁଇ ଟିକିଆ ହାତୀପଲକୁ ନେଇ | ଭୟ ଥିଲେ ମଧ୍ୟ ଶବ ସମାଧି କାର୍ଯ୍ୟ ସମାପନ କରି ନିଜ ନିଜ ଘରକୁ ଫେରିଲେ ସମାଜସେବୀ ମାନେ |

ସମାଜସେବୀଙ୍କ କହିବା ମୁତାବକ, ଜୀବିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଏକ ଘରିଆ, ସାମାଜିକ ବାସନ୍ଦ କରିବା ନିୟମ ଉଲଂଘନ କରୁଥିଲେ ମଧ୍ୟ ଗୋଟିଏ ଶବକୁ ବାସନ୍ଦ କରିବା ନିଶ୍ଚିତ ଭାବେ ଦୁଃଖଦ ଏବଂ ନିନ୍ଦନୀୟ | ନିଶ୍ଚିତ ଭାବେ ମାନବିକତାକୁ ପଦାରେ ପକେଇ ଦେଇଛି ଏବଂ ଏଭଳିଆ ଘଟଣାର ପୁନରାବୃତ୍ତି ନହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande