


ଭୁବନ, ୨୪ ମଇ(ହି.ସ.) – ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ‘ଜଗବନ୍ଧୁ ଜରାଶ୍ରମ’ ଏବଂ ଓଡ଼ିଶା ସରକାରଙ୍କ ବନବିଭାଗ ଜରପଡ଼ା ବନାଂଚଳ, ଅନୁଗୁଳ ବନଖଣ୍ଡ ଙ୍କ ମିଳିତ ଉଦ୍ୟମ ରେ ହାତୀ - ମଣିଷ ବିବାଦ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜରପଡ଼ା ବାନାଂଚଳ ଅଧିନସ୍ଥ ଅନ୍ତୁଳିଆ, ପରା,ଉଗି, କଞ୍ଜରା, କତଡ଼ା ଗ୍ରାମ ଠାରେ ଏକ ବିଶାଳ ଜନସଚେତନତା ପାଇଁ ଘୋଡ଼ା ନାଚ/ପାଲା ଏବଂ ଦାସକାଠିଆ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯାଇଥିଲା। ସ୍ଥାନୀୟ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ, ସ୍ଥାନୀୟ ଯୁବକ ସଂଘର କର୍ମକର୍ତା, ଜରପଡ଼ା ପତିତପାବନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଜନ ସାଧାରଣଙ୍କୁ ଲିଫ୍ଲେଟ ଏବଂ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗୁଡ଼ିକ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜରପଡ଼ା ବନାଂଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକ, ରିତାରାଣୀ ସେଠୀ, ଜ୍ୟୋତ୍ସ୍ନା ରାଣୀ ନାୟକ ତଥା ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ପାଂଚଟି ଗ୍ରାମର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ଭାଗରେ ହାତୀ ଏବଂ ମଣିଷର ଆଗାମୀ ଦିନରେ ସୁସମ୍ପର୍କ ଓ ହାତୀମାନଙ୍କ ସୁରକ୍ଷା ସମ୍ପର୍କୀୟ/ବୃକ୍ଷରୋପଣ କାର୍ଯ୍ୟକ୍ରମ ବନ୍ୟପ୍ରାଣୀ ଶିକାର ନକରିବା ପାଇଁ ଗ୍ରାମବାସୀ ଶପଥ ନେଇଥିଲେ। ଜଗବନ୍ଧୁ ଜରାଶ୍ରମ ର କାର୍ଯ୍ୟକର୍ତା ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସାଧାରଣ ଜନତାଙ୍କୁ ଅବଗତି କରାଇଥିଲେ। ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ଆଶୁତୋଷ ମିଶ୍ର ଏବଂ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ବେହେରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ