ସୁନାଖାଏନରେ ଝାଡ଼ାବାନ୍ତି ତାଣ୍ଡବ: ୨ ମୃତ, ୪ ଜଣ ଚିକିତ୍ସାଧୀନ
Medical problem in sunakhain village
ସୁନାଖାଏନରେ ଝାଡ଼ାବାନ୍ତି ତାଣ୍ଡବ: ୨ ମୃତ, ୪ ଜଣ ଚିକିତ୍ସାଧୀନ


ଝାରସୁଗୁଡ଼ା, ୨୪ ମେ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ଗ୍ରାମ ପଂଚାୟତର ସୁନାଖାଏନ ଗାଁରେ ଝାଡ଼ାବାନ୍ତି ରୋଗ ଆତଙ୍କ ସୃଷ୍ଟି କରିଛି। ଏହି ସାଂଘାତିକ ରୋଗରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ଉଲ୍ଲାସ ଖଡ଼ିଆ (୪୧) ଓ ସୁକାନ୍ତି ଖଡ଼ିଆ (୬୫)।

ଘଟଣା ସମ୍ପର୍କରେ ସୂଚନା ପାଇ ପଲସଦା ପିଏଚସିର ଏକ ଚିକିତ୍ସକ ଦଳ ତୁରନ୍ତ ସୁନାଖାଏନ ଗ୍ରାମରେ ପହଂଚି ଚିକିତ୍ସା ସେବା ଆରମ୍ଭ କରିଛନ୍ତି। ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତମାନେ ଗତ ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ନୁଆଁଡ଼ିହି ଗାଁକୁ ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରେ ଝାଡ଼ାବାନ୍ତିର ଲକ୍ଷଣ ପ୍ରକାଶ ପାଇଥିଲା। ଆକ୍ରାନ୍ତମାନଙ୍କ ମଧ୍ୟରେ ଫକୀର ଖଡ଼ିଆ, ମଞ୍ଜରୀ ଖଡ଼ିଆ, ଏଞ୍ଜେଲିନା ଖଡ଼ିଆ ଓ ରଶ୍ମି ଖଡ଼ିଆ ଥିବା ଜଣାପଡ଼ିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶଶୀ ଶେଖର ସେଠଙ୍କ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୨ଟା ସମୟରେ ଉଲ୍ଲାସ ଖଡ଼ିଆ ଓ ସୁକାନ୍ତି ଖଡ଼ିଆଙ୍କ ସମେତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ଉଲ୍ଲାସ ଖଡ଼ିଆଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ସୁକାନ୍ତି ଖଡ଼ିଆ ରବିବାର ସକାଳ ୫ଟା ୩୦ ମିନିଟ୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଥିଲେ।

ଡାକ୍ତର ସେଠଙ୍କ କହିବା ଅନୁଯାୟୀ, ଫକୀର ଖଡ଼ିଆଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ରଶ୍ମି ଖଡ଼ିଆ (୧୨) ଶିଶୁ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତମାନ ସ୍ଥିର ରହିଛି। ଗାଁର ପରିସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande