
ଝାରସୁଗୁଡ଼ା , 24 ମେ (ହି.ସ.)
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରବିବାର ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମେଡିକାଲ ଷ୍ଟାଫଙ୍କ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବାବେଳେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ମଚିଦା ଗ୍ରାମର ସୁରେଖା ପଧାନ (୨୪) ପ୍ରସବ ବେଦନା ଅନୁଭବ କରିବା ପରେ ପରିବାର ଲୋକ ଓ ଗ୍ରାମର ଆଶାକର୍ମୀଙ୍କ ସହ ରବିବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲେ। କିନ୍ତୁ ବାଟରେ ପ୍ରସବ ବେଦନା ବଢ଼ିଯାଇଥିବାରୁ ତାଙ୍କୁ ତୁରନ୍ତ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ଅଭିଯୋଗ ଅନୁଯାୟୀ, ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଆଶାକର୍ମୀ ଜରୁରୀ ସେବା ପାଇଁ ମେଡିକାଲ ଷ୍ଟାଫଙ୍କୁ ଡାକିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ସହଯୋଗ ପାଇଁ ଆସିନଥିଲେ। ଏହି ସମୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ସୁରେଖା ବାରଣ୍ଡାରେ ଛିଡ଼ା ଅବସ୍ଥାରେ ହିଁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁଟି କଂକ୍ରିଟ ତଳେ ପଡ଼ିଯାଇ ମୁଣ୍ଡରେ ଗୁରୁତର ଆଘାତ ପାଇଥିବାରୁ ଘଟଣାସ୍ଥଳରେ ହିଁ ତାହାର ମୃତ୍ୟୁ ଘଟିଥିବା କୁହାଯାଇଛି।
ଘଟଣା ପରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ପ୍ରତିବାଦ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିବାରୁ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଜଣେ ଡାକ୍ତର ଓ ଦୁଇଜଣ ପାରାମେଡିକାଲ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶଶୀଶେଖର ସେଠ କହିଛନ୍ତି ଯେ, ମୃତ ନବଜାତର ଶବ ବ୍ୟବଚ୍ଛେଦ କରାଯିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେବ। ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତ ଆଧାରରେ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସେପଟେ ରେଙ୍ଗାଲି ଥାନା ଆଇଆଇସି ସମରେନ୍ଦ୍ର ନାୟକ କହିଛନ୍ତି ଯେ, ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ରେଙ୍ଗାଲି ଥାନାରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।
ଏହି ଘଟଣା ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମେଡିକାଲ ସେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ