
ଝାରସୁଗୁଡା, 24 ମେ (ହି.ସ.)
ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ ଲିମିଟେଡ୍ (ଓପିଜିସି) ୟୁନିଟ-୧ର ନବୀକରଣ କାର୍ଯ୍ୟ ସଫଳତାର ସହ ଶେଷ କରିଛି। ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ସଫଳତା। ଆଧୁନିକୀକରଣ ପରେ, ଚଳିତ ବର୍ଷ ମେ ୧ ତାରିଖରେ ୟୁନିଟ-୧କୁ ସଫଳତାର ସହ ଗ୍ରୀଡ୍ ସାଙ୍ଗରେ ସଂଯୋଗ କରାଯାଇଛି। ବର୍ତ୍ତମାନ ଏହି ୟୁନିଟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକରୁଥିବା ବେଳେ ଏହାର କାର୍ଯ୍ୟଦକ୍ଷତାରେ ବେଶ୍ ଉନ୍ନତି ଆସିଛି ଙ୍ଗରେ ସଂଯୋଗ
ଏହି ଷ୍ଟେଜର ୟୁନିଟ-୨ର ସଂସ୍କାର କାର୍ଯ୍ୟ ୨୦୨୫ ମାର୍ଚ୍ଚ ୨୦ ତାରିଖ ସରିଥିଲା। ୩୦ ବର୍ଷରୁ ଅଧିକ ପୁରୁଣା ଏହି ଦୁଇଟି ଯାକ ୟୁନିଟର ସ୍ଥିରତା ବଜାୟ ରଖିବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଅନୁମୋଦନ କ୍ରମେ ବ୍ୟାପକ ମରାମତି କରାଯାଇଛି। ଏଥିରେ ଷ୍ଟିମ ଟର୍ବାଇନର ପ୍ରମୁଖ ମଡ୍ୟୁଲ ଓ ବ୍ଲେଡ, ବଏଲର, ଏୟାର ପ୍ରି ହିଟର ଏବଂ ସହାୟକ ଯନ୍ତ୍ରାଂଶର ବ୍ୟାପକ ଯାଞ୍ଚ ସହ ନବୀକରଣ ହୋଇଛି | ଯାନ୍ତ୍ରିକ ନବୀକରଣ ସହିତ ଓପିଜିସି ଏହି ପ୍ରକଳ୍ପ ପାଇଁ ଦୀର୍ଘମିଆଦୀ ନିୟାମକ ସମର୍ଥନ ପାଇବାରେ ସଫଳ ହୋଇଛି। ଷ୍ଟେଜ-୧ ୟୁନିଟ୍ଗୁଡ଼ିକର ବିଦ୍ୟୁତ୍ କ୍ରୟ ଚୁକ୍ତି ବା ପିପିଏ, ଯାହା ଚଳିତ ୩୦ ଜୁନ ୨୦୨୬ ହେବାକୁ ଥିଲା, ତାକୁ ୧୫ ବର୍ଷ ପାଇଁ ବଢ଼ାଇ ଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ଏହି ଚୁକ୍ତି ୩୦ ଜୁନ ୨୦୪୧ ପର୍ଯ୍ୟନ୍ତ ବୈଧ ରହିବ। ଏହାଦ୍ବାରା ଆଗାମୀ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ ହୋଇପା ପାରିବ। ଓପିଜିସି ବର୍ତମାନ ୧୭୪୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ସହ କାର୍ଯ୍ୟ କରୁଛି ଏବଂ ରାଜ୍ୟର ସମୁଦାୟ ବିଦ୍ୟୁତ୍ ଚାହିଦାର ପ୍ରାୟ ଏକ-ତୃତୀୟାଂଶ ଭାଗ ଓପିଜିସି ପୂରଣ କରୁଛି ବୋଲି ଓପିଜିସିର ବରିଷ୍ଠ ଅଧିକାରୀ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ