
ଜୟପୁର, ୨୪ ମଇ (ହି.ସ.)- ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଥିଲେ । ଉଦ୍ଦେଶ୍ୟ ଥିଲା ପଲିଥିନର ବିପଦଜ୍ଜନକ ବ୍ୟବହାରକୁ ରୋକିବା । କିନ୍ତୁ, ସରକାରଙ୍କ ଏହି ନିର୍ଦ୍ଦେଶାନାମା କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି । ବିଭିନ୍ନ ଦୋକାନ, ବଜାରରେ ପଲିଥିନ ଖୁଲମଖୁଲ୍ଲା ବିକ୍ରି ଚାଲିଛି । ମଝିରେ ମଝିରେ ଔପଚାରିକତା ପୂରଣ ପାଇଁ ଚଢଉ କରାଯାଉଛି । ଆଗକୁ ଏଥିପ୍ରତି ଧ୍ୟାନ ଦିଆନଗଲେ ଯଥା ପୂର୍ବଂ ତଥା ପରଂ ସ୍ଥିତି ସୃଷ୍ଟି ହେବା ଅବଶ୍ୟମ୍ଭାବୀ ବୋଲି ଆଲୋଚନା ହେଉଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ପଲିଥିନ ବ୍ୟାନ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ଯେଉଁ ପଲିଥିନ ଗୁଡିକ ଠିକ ଭାବେ ନଷ୍ଟ ଅର୍ଥାତ୍ ଖତ ହୋଇପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ । ଅବଶିଷ୍ଟ ପଲିଥିନ ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଏହି ପଲିଥିନ ଗୁଡିକର ଉତ୍ପାଦନ ହୋଇପାରିବ ନାହିଁ । ଯଦି କେଉଁଠି ରହିଯାଇଛି ତେବେ ତାହାର କିଣା, ବିକା ଉପରେ ଅଙ୍କୁଶ ଲଗାଯାଇଛି । ଏପରିକି ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ, ପ୍ଲେଟ, ଗ୍ଲାସ ଆଦି ମଧ୍ୟ ବ୍ୟବହାର ହୋଇପାରିବ ନାହିଁ । ଯେଉଁ ପଲିଥିନ ର ସ୍ଥୂଳତା (ଥିକନେସ୍) ୫୦ ମାଇକ୍ରନ୍ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ । କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବା ପାଇଁ ଉପଯୁକ୍ତ ମାନର ପଲିଥିନ ବ୍ଯବହାର କରାଯାଇପାରେ । ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲା । ଏହି କଟକଣା ଲାଗୁପରେ ଜିଲ୍ଲାରେ ପ୍ରଥମେ କିଛି ଦିନ ନିର୍ଦ୍ଦେଶନାମାକୁ ଠିକ ଭାବେ ପାଳନ କରାଯାଇଥିଲା । କିନ୍ତୁ, ପରବର୍ତୀ ସମୟରେ ତାହା ଫାଇଲ ଭିତରେ ଚାପି ହୋଇଯାଇଛି । ବିଶେଷ କରି କୋରାପୁଟ ଜିଲାର ଜୟପୁର ସହର, କୋଟପାଡ, ସେମିଳିଗୁଡା, ବୈପାରିଗୁଡା, ବୋରିଗୁମ୍ମା, କୋରାପୁଟ, କୁନ୍ଦୁରାରେ ଅବାଧରେ ଚାଲିଛି ପଲିଥିନ ବିକ୍ରି । ପାନ ଦୋକାନ ଠାରୁ ଆରମ୍ଭ କରି ରାଶନ ଦୋକାନ, ଷ୍ଟେସନାରୀ ଦୋକାନ, ଜଳଖିଆ ଦୋକାନ, ପରିବା ଦୋକାନ ମାନଙ୍କରେ ବହୁଳ ମାତ୍ରାରେ ପଲିଥିନ କାରବାର ଖୋଲାଖୋଲି ଚାଲିଛି । ପଲିଥିନରେ ବରା, ପିଆଜି, ଉପମା, ତରକାରି, ଗୁପଚୁପ, ଚାଟ, ଚାଉମିନ ଧରି ଲୋକମାନେ ଯାଉଥିବା ବେଳେ ସବୁଠାରୁ ବଡ କଥା ହେଲା ମନ୍ଦିରରେ ଅନ୍ନ ଭୋଗ ବିକ୍ରୟ କରାଯାଉଛି । ସେଠାରେ ପଲିଥିନରେ ଅନ୍ନ, ଡାଲି, ଡାଲମା, ବେସର, ଖଟା, ତରକାରି ପଲିଥିନରେ ଦିଆଯାଉଛି । ପଲିଥିନରେ ଭୋଗ ସାମଗ୍ରୀ ସହ ଫୁଲ, ଫଳ କଦଳୀ, କାକୁଡି, ଲେମ୍ବୁ ଓ ଇଲେକ୍ଟ୍ରି ସାମଗ୍ରୀ ସବୁ ଦିଆଯାଉଛି । ମାଛ ଦୋକାନରେ ପଲିଥିନରେ ମାଛ ଓ ଅଣ୍ଡା ଦୋକାନରେ ଅଣ୍ଡା ଦିଆଯାଉଥିବା ବେଳେ ଚା' ଦୋକାନରେ ଚା' ମଧ୍ୟ ପଲିଥିନରେ ଗ୍ରାହକଙ୍କୁ ଦିଆଯାଉଛି । ସାହି ଗଳି କନ୍ଦି ଓ ଛକ ମାନଙ୍କରେ ପଲିଥିନ ପଡିଥିବାର ଦେଖାଯାଉଛି । ରାଜ୍ୟ ସରକାର ପ୍ରଥମେ ଯେତେବେଳେ ପଲିଥିନ ବ୍ୟାନ ଘୋଷଣା କରିଥିଲେ, ସେତେବେଳେ କିଛିଦିନ ଏହାର ବ୍ୟବହାର ଉପରେ ଅଙ୍କୁଶ ଲାଗିଥିଲା । ପରବର୍ତୀ ସମୟରେ ପୂର୍ବପରି ପଲିଥିନ ବ୍ୟବହାର ହେବାରେ ଲାଗିଛି । ସରକାର ପଲିଥିନ ଉତ୍ପାଦନ ଉପରେ ଅଙ୍କୁଶ ଲଗାଉନଥିବାରୁ କାରବାର ବନ୍ଦ ହୋଇପାରୁନାହିଁ ।
ଅନ୍ୟପକ୍ଷରେ ଜୟପୁର ସହରରେ ପୌରସଂସ୍ଥା ପକ୍ଷରୁ ପଲିଥିନ ବନ୍ଦ ପାଇଁ ଏନଫୋର୍ସମେଂଟ କମିଟି ଗଠନ କରାଯାଇଥିଲା । କିନ୍ତୁ, ଏହା କେବଳ କାଗଜକଲମରେ ସିମୀତ ବୋଲି କୁହାଯାଉଛି । ଚଢଉ ହେଉନଥିବାରୁ ପଲିଥିନ ପୂର୍ବପରି ବ୍ୟବହୃତ ହୋଇଚାଲିଛି । ଏନେଇ ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏନେଇ ପ୍ରଶାସନ ତରଫରୁ ଚଢ଼ଉକୁ ଜୋରସୋର୍ କରିବାକୁ ଦାବି ହୋଇଛି । ବାରମ୍ବାର ଦାବି ହେବା ପରେ ଗତ ୨୦ ତାରିଖରେ ଜୟପୁର ପୌରପାଳିକା ପକ୍ଷରୁ ସହରର ପ୍ଲାଷ୍ଟିକ ଜରି ବିକ୍ରି କରୁଥିବା ୨ଟି ଦୋକାନରେ ଚଢଉ କରି ପଲିଥିନ ଜବତ କରିଥିବା ଜଣାପଡିଛି। ପୌର ଟିମ ଦୈନିକ ବଜାର, ବେଲରୋଡ ଏବ˚ ଏମଜିରୋଡ ରେ ଥିବା ପଲିଥିନ ଦୋକାନ ଉପରେ ଚଢଉ କରିଥିଲେ। ୨ଟି ଦୋକାନରୁ ମୋଟ ୭ ହଜାର ଟଙ୍କା ଆଦାୟ କରିଥିବା ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି