
ଜୟପୁର, ୨୪ ମଇ (ହି.ସ.)-୧୫ ଓଡ଼ିଶା ବ୍ୟାଟାଲିଅନ୍ ଏନସିସି, ଜୟପୁର ଆୟୋଜିତ ଚାଲୁଥିବା ଏଟିସି କ୍ୟାମ୍ପରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିବୀର ଭର୍ତ୍ତି ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଏଆରଓ ଗୋପାଳପୁର, ବ୍ରହ୍ମପୁର ପକ୍ଷରୁ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ କ୍ୟାଡେଟମାନଙ୍କୁ ଅଗ୍ନିବୀର ଯୋଜନାର ଲକ୍ଷ୍ୟ, ଯୋଗ୍ୟତା, ଅନଲାଇନ୍ ଆବେଦନ ପ୍ରକ୍ରିୟା, ଶାରୀରିକ ପରୀକ୍ଷା, ଲେଖିତ ପରୀକ୍ଷା ଓ ଚୟନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବେ ଜଣାଇଥିଲେ। ସେମାନେ କହିଥିଲେ ଯେ, ଅଗ୍ନିବୀର ଯୋଜନା ଯୁବପିଢ଼ୀଙ୍କ ପାଇଁ ଦେଶସେବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଏକ ସୁଯୋଗ ସୃଷ୍ଟି କରିଛି। କ୍ୟାଡେଟମାନଙ୍କୁ ନିୟମିତ ଅଭ୍ୟାସ, ଶାରୀରିକ ସୁସ୍ଥତା, ଶୃଙ୍ଖଳା ଓ ଆତ୍ମବିଶ୍ୱାସ ରଖିବା ପାଇଁ ପ୍ରେରିତ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ୟାଡେଟମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ଅଧିକାରୀମାନେ ସେଗୁଡ଼ିକର ସହଜ ଓ ସ୍ପଷ୍ଟ ଉତ୍ତର ପ୍ରଦାନ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ କ୍ୟାଡେଟମାନଙ୍କ ମଧ୍ୟରେ ଦେଶଭକ୍ତି, ଶୃଙ୍ଖଳା ଓ ସେନାବାହିନୀରେ ଯୋଗଦେବା ପ୍ରତି ଆଗ୍ରହ ବୃଦ୍ଧି କରିଥିଲା। କ୍ୟାମ୍ପର ସମସ୍ତ ଏଏନଓ, ପିଆଇ ଷ୍ଟାଫ୍ ଓ କ୍ୟାଡେଟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି