
ଖୋର୍ଦ୍ଧା, 24 ମେ (ହି.ସ.)
ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି ବେଗୁନିଆ ବ୍ଲକ୍ ଦେଉଳି ପଞ୍ଚାୟତ ଗୋଡ଼ା ଗାଁରୁ। ଗାଁର ବିଧବା ମହିଳା କୁନ୍ତଳା ମାଣିଆ ଘର ପାଇଁ ପାଣି ବୋହୁଥିବା ବେଳେ ଆଜି ପୂର୍ବାହ୍ଣରେ ହଠାତ୍ ଅସୁସ୍ଥ ହୋଇ ଆଖି ବୁଜିଛନ୍ତି। ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି କୁନ୍ତଳାଙ୍କ ପୁଅ ପ୍ରଭାତ ମାଣିଆ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ମୃତଦେହ ପରିବାରକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ, ଦିନ ପ୍ରାୟ ୧୧ଟା ପାଣି ବୋହୁଥିବା ବେଳେ କୁନ୍ତଳା ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତୁରନ୍ତ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ଆଚାର୍ଯ୍ୟ କହିଛନ୍ତି, ମହିଳାଙ୍କର ଉଚ୍ଚ ରକ୍ତଚାପ ଥିଲା। ଆଜି ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ବେଗୁନିଆ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ କହିଛନ୍ତି, ମହିଳାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିଲା ପରେ ଏହା ଅଂଶୁଘାତ ଜନିତ ମୃତ୍ୟୁ କି’ ନୁହେଁ ସ୍ପଷ୍ଟ ଜଣାପଡ଼ିବ। ଏନେଇ ବେଗୁନିଆ ଥାନାରେ ୧୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ