
ଚମ୍ପୁଆ, ୨୫ ମଇ (ହି.ସ.)- ପ୍ରତ୍ୟେକ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତିପଞ୍ଚାୟତରେ ବସୁଧା ପାଣି ଟାଙ୍କି ନିର୍ମାଣ କରିଥିଲେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ଟୋପାଏ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଆଶା ଥିଲା ବସୁଧା ଯୋଜନାରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବ କିନ୍ତୁ ବିଭାଗୀୟ କର୍ମଚାରୀ ଏବଂ ଅଧିକାରୀମାନଙ୍କ ଅବହେଳା ପାଇଁ ପାନୀୟ ଜଳ ଯୋଗାଣ ଏକ ପ୍ରହସନରେ ପରିଣତ ହୋଇଛି।
ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ । ଗ୍ରାମକୁ ରଜିଆ ଠାରେ ଥିବା ବସୁଧା ପାଣିଟାଙ୍କିରୁ ପାଣି ଯୋଗାଣ ନିମନ୍ତେ ପାଇପ ସଂଯୋଗ ହୋଇଛି। ପାଇପ ସଂଯୋଗ ହେବା ପରେ କିଛି ଦିନ ପାଣି ମଧ୍ୟ ଠିକଠାକ୍ ଚାଲିଥିଲା। ତା'ପରେ ପ୍ରାୟ ସାତ ଆଠ ମାସରୁ ଉର୍ଦ୍ଧ୍ବ ହେବ ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିଲା। ପରେ ପୁଣି ଚାରି ପାଞ୍ଚ ଦିନ ପାଣି ଯୋଗାଣ ହୋଇଥିଲା। ଗ୍ରାମର ସ୍କୁଲ ସାହିକୁ ପାଣି ଆସୁଥିବା ବେଳେ ମୁଣ୍ଡା ସାହି, ମଝିସାହି ଓ ତଳସାହିକୁ ପାନୀୟ ଜଳ ଯୋଗାଣ ପୁଣି ବନ୍ଦ ହୋଇ ଯାଇଥିଲା। ଏବେ କିଛି ଦିନ ପୂର୍ବରୁ ଚାରି ପାଞ୍ଚ ଦିନ ଜଳ ଯୋଗାଣ କରିବା ପରେ ପୁଣି ଏକ ସପ୍ତାହରୁ ଅଧିକ ହେବ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ମହେଶ୍ୱରପୁର ଗ୍ରାମର ଶତାଧିକ ପରିବାର । ପୂର୍ବରୁ ରହିଥିବା ନଳକୂପ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ ଏବେ ନଳକୂପ ଗୁଡିକ ଅତି ପୁରୁଣା ହୋଇ ଯାଇଥିବାରୁ ତାହା ଆବଶ୍ୟକ ଅନୁଯାୟୀ ପାଣି ଯୋଗାଇ ପାରୁ ନାହିଁ।
ଅନ୍ୟପକ୍ଷରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ କାର୍ଯ୍ୟ ଠିକ୍ ଭାବେ ନକରି ମନମାନି କରୁଥିବାରୁ ଗ୍ରାମକୁ ଜଳ ଯୋଗାଣ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳଗୁ୍ଳି ହେଉଥିବା ସତ୍ୱେ ଗ୍ରାମରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳ ସଙ୍କଟ ପ୍ରତି ବିଭାଗୀୟ ଅଧିକାରୀମାନେ ମଧ୍ୟ ଗୁରୁତ୍ବ ଦେଉ ନଥିବାରୁ ଗ୍ରାମକୁ ବାରମ୍ବାର ଜଳ ଯୋଗାଣ ବନ୍ଦ ହେବା ଫଳରେ ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଫଳରେ ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମରେ ପାଣି ସମସ୍ୟା ଦୂର କରିବାକୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta