
ଚମ୍ପୁଆ, , 25 ମେ (ହି.ସ.): ଅଇଁଠା ଦହିବରା ବିକ୍ରୀ କରୁଥିବା ବେପାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବୀ ଜୋର ଧରିଛି।
ଚମ୍ପୁଆରେ ଅଇଁଠା ଦହିବରା ବିକ୍ରୀ କରୁଥିବା ଭିଡିଓ ଭାଇରାଲ ହେବାପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଦହିବରା ବେପାରୀଙ୍କ ଏଭଳି ଘୃଣ୍ୟ କାର୍ଯ୍ୟକୁ ଲୋକେ ଗ୍ରହଣ କରି ପାରୁନଥିବା ବେଳେ ଉକ୍ତ ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଚମ୍ପୁଆ ଓକିଲ ସଂଘ ର ସଦସ୍ୟ, ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ଚମ୍ପୁଆ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜଗନ୍ନାଥ ବେହେରାଙ୍କୁ ସାକ୍ଷାତ କରି ସମସ୍ତେ ଉକ୍ତ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଏ ସମ୍ପର୍କରେ ଏନଏସି ଅଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ ଘଟଣା ଜଣା ପଡିବା ପରେ ଏନଏସି ଉକ୍ତ ବେପାରୀଙ୍କ ଗାଡି ଓ ଦୋକାନ ସାମଗ୍ରୀ ଜବତ କରିଛି । ତାଙ୍କୁ ଆଜି ଏନଏସି କୁ ଆସିବା ପାଇଁ କୁହା ଯାଇଥିଲେ ମଧ୍ୟ ବେପାରୀ ଜଣଙ୍କ ଆସି ନାହାନ୍ତି । ତେବେ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଜୋରିମାନା ଲାଗୁ କରିବା ପାଇଁ ବିଚାର କରାଯାଉଛି ବୋଲି କହିଥିଲେ । ସୂଚନା ଯୋଗ୍ୟ କି, ଗତ ଦୁଇ ଦିନ ତଳେ ଚମ୍ପୁଆ ବସ ଷ୍ଟାଣ୍ଡ ସମୁଖ ବର ଗଛ ମୂଳରେ ଦହିବରା ବିକ୍ରି କରୁଥିବା ବେପାରୀ ଜଣକ ଗ୍ରାହକ ଖାଇ ସାରିବା ପରେ ପ୍ଲେଟ୍ ରେ ଛାଡି ଦେଇଥିବା ଅଇଁଠା ଦହିବରାକୁ ପୁଣି ଥରେ ସଂଗ୍ରହ କରି ଅନ୍ୟ ଗ୍ରାହକଙ୍କୁ ପରିବେଷଣ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ସ୍ଥାନୀୟ ଲୋକେ ଉକ୍ତ ବେପାରୀଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ସହ ଚମ୍ପୁଆ ପୁଲିସ୍ କୁ ଜିମା ଦେଇଥିଲେ। ଏହି ଘଟଣାକୁ ନେଇ ଚମ୍ପୁଆ ସମେତ ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta