ସରକାରୀ ଗୋଷ୍ଠୀ ଗୃହକୁ ମାଡ଼ି ବସିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି, ଖୋଲା ଆକାଶ ତଳେ ଅଗ୍ନି ବିପନ୍ନ ଆଦିବାସୀ ପରିବାର
ନୂଆପଡ଼ା, ୨୫ ମଇ (ହି.ସ.)- ଗରିବ ଓ ବାସହରା ଲୋକଙ୍କ ଆଶ୍ରୟ ପାଇଁ ଉଦ୍ଦିଷ୍ଟ ସରକାରୀ ଗୋଷ୍ଠୀ ଗୃହ ଏବେ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ଲୋକଙ୍କ ଅକ୍ତିଆରରେ। ଅପରପକ୍ଷରେ ସର୍ବସ୍ବ ହରାଇ ଏକ ନିରୀହ ଆଦିବାସୀ ପରିବାର ଖୋଲା ଆକାଶ ତଳେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ।
Sarkari gosthi gruha ku akhtiar


ନୂଆପଡ଼ା, ୨୫ ମଇ (ହି.ସ.)- ଗରିବ ଓ ବାସହରା ଲୋକଙ୍କ ଆଶ୍ରୟ ପାଇଁ ଉଦ୍ଦିଷ୍ଟ ସରକାରୀ ଗୋଷ୍ଠୀ ଗୃହ ଏବେ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ଲୋକଙ୍କ ଅକ୍ତିଆରରେ। ଅପରପକ୍ଷରେ ସର୍ବସ୍ବ ହରାଇ ଏକ ନିରୀହ ଆଦିବାସୀ ପରିବାର ଖୋଲା ଆକାଶ ତଳେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କର୍ଲାକୋଟ ପଞ୍ଚାୟତର ଟାଙ୍ଗିରିପଡ଼ା ଗ୍ରାମରେ।

ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ) ନିର୍ମାଣ ସମୟରେ ଅନେକ ଗ୍ରାମବାସୀ ବାସହରା ହୋଇ ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ। ସେମାନଙ୍କର ଅସ୍ଥାୟୀ ରହଣି ଓ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଟାଙ୍ଗିରିପଡ଼ାରେ ଏକ 'ପୁନର୍ବାସ ଓ ଥଇଥାନ ଗୋଷ୍ଠୀ ଗୃହ' ନିର୍ମାଣ କରାଯାଇଥିଲା। ମାତ୍ର ଅଭିଯୋଗ ଅନୁଯାୟୀ, କିଛି ବର୍ଷ ପରେ କେତେକ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ଏହି ସରକାରୀ ଗୃହଟି ନିଜ ଜାଗାରେ ନିର୍ମିତ ହୋଇଥିବା ଦର୍ଶାଇ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛନ୍ତି ଏବଂ ସେଠାରେ ନିଜର ଦାଦାଗିରି ଚଳାଇଛନ୍ତି। ଅନ୍ୟପକ୍ଷରେ ଗତ ମେ' ୧୮ ତାରିଖ ବିଳମ୍ବିତ ରାତିରେ ଟାଙ୍ଗିରିପଡ଼ାର ଜଣେ ନିରୀହ ଆଦିବାସୀ ଭୁଞ୍ଜିଆ ସମ୍ପ୍ରଦାୟର ବ୍ୟକ୍ତି ଡମ୍ବରୁଧର ଚିନ୍ଦାଙ୍କ ଘରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡରେ ତାଙ୍କର ସମସ୍ତ ସାମଗ୍ରୀ ଛାରଖାର ହୋଇଯାଇଛି। ସର୍ବସ୍ବ ହରାଇ ଏହି ପରିବାର ଏବେ ଅସହାୟ ଜୀବନ ଅତିବାହିତ କରୁଛନ୍ତି। ଆଶ୍ରୟ ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ବାଧ୍ୟ ହୋଇ ସେମାନେ ଘର ସମ୍ମୁଖରେ ଦୁଇ-ଚାରୋଟି ଇଟା ରଖି ଖୋଲା ଆକାଶ ତଳେ ରୋଷେଇ କରୁଥିବା ଏବଂ ଯାଯାବର ଭଳି ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯଦି ଗ୍ରାମର ସରକାରୀ ଥଇଥାନ ଗୃହଟି ମୁକ୍ତ ଥାନ୍ତା, ତେବେ ଏହି ପୀଡ଼ିତ ପରିବାର ସେଠାରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ପାଇପାରିଥାନ୍ତେ। ଏନେଇ କର୍ଲାକୋଟ ସରପଞ୍ଚ ମଙ୍ଗଳ ସିଂ ଚିନ୍ଦାଙ୍କ ସୂଚନା ଅନୁସାରେ, ଏହି ଗୋଷ୍ଠୀ ଗୃହଟି ଗତ ଦୁଇ-ତିନି ବର୍ଷ ହେବ ପୂର୍ବତନ ସରପଞ୍ଚ ଭରତ ବେହେରାଙ୍କ ପୁତ୍ର ବିରଞ୍ଚି ବେହେରାଙ୍କ କବଜାରେ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ବିରଞ୍ଚି ବେହେରା ଜଣେ ସରକାରୀ ଶିକ୍ଷକ। ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବରଙ୍କୁ ଯୋଗାଯୋଗ କରାଯିବାରୁ ସେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଜଣେ ଶିକ୍ଷକ ହୋଇ ସେ ବେଆଇନ ଭାବେ ସରକାରୀ ଗୃହକୁ ନିଜ ଅକ୍ତିଆରରେ ରଖିଛନ୍ତି। ଅପରପକ୍ଷରେ, ସମ୍ପୃକ୍ତ ଶିକ୍ଷକଙ୍କୁ ଏ ବିଷୟରେ ପଚାରିବାରୁ ସେ ଗାଁ ଲୋକଙ୍କ ସହମତିରେ ସେଠାରେ ରହୁଥିବା ସଫେଇ ଦେଇଛନ୍ତି। ସରକାରୀ ଗୋଷ୍ଠୀ ଗୃହ ଯଦି ସରକାରୀ ବାବୁ ବା ପ୍ରଭାବଶାଳୀ ଲୋକଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ, ତେବେ ଏହାର ନିର୍ମାଣର ଆବଶ୍ୟକତା କାହା ପାଇଁ ଥିଲା ? ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ତୁରନ୍ତ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଗୋଷ୍ଠୀ ଗୃହକୁ ଜବରଦଖଲ ମୁକ୍ତ କରନ୍ତୁ ଏବଂ କବଜାକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଗ୍ନିକାଣ୍ଡର ଶିକାର ହୋଇଥିବା ଗରିବ ପରିବାରକୁ ତୁରନ୍ତ ଥଇଥାନ କରନ୍ତୁ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଏନେଇ ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଏସି ସୋମ୍ୟ କିଶୋର ଜୟପୁରିଆଙ୍କୁ ଯୋଗାଯୋଗ କରାଯିବାରୁ ଆପଣଙ୍କ ମାଧ୍ୟମରେ ଜାଣିଥିବା ପ୍ରକାଶ କରି ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande