
କେନ୍ଦ୍ରାପଡା, ୨୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାଫଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ନପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସୋମବାର କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକ, ଡେରାବିଶ ବ୍ଲକ ଓ ଗରଦପୁର ବ୍ଲକର ପ୍ରାୟ ୨୫ଟି ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ପାନୀୟ ଜଳ ଯୋଗାଇବା ପାଇଁ ଦାବି କରିଛନ୍ତି । ଏହି ୨୫ଟି ଗ୍ରାମ ମଧ୍ୟରୁ କରାଣ୍ଡିଆ ନଦୀ କୂଳରେ ଥିବା ଗ୍ରାମ ଗୁଡିକରେ ଥିବା ଟ୍ୟୁବୱେଲ୍ ଗୁଡିକ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଦୀର୍ଘ ମାସେ ହେବ କରାଣ୍ଡିଆ ନଦୀରେ ପାଣି ନଥିବାରୁ ଜଳସ୍ତର ତଳକୁ ଖସିଥିବାରୁ ଏହି ଟ୍ୟୁବୱେଲରେ ପାଣି ବାହାରୁନାହିଁ । ଫଳରେ ଇନ୍ଦାଳୋ ପଂଚାୟତଠାରୁ ମେହେନ୍ଦିନଗର ପଂଚାୟତ ଭିତରେ ଥିବା କୂଳସାହି, ନାନକାର, ହୁରାସାହି, ଘୋଡାଦଣ୍ଡା, ତଳ ଗାଁ, କରିଲୋପାଟଣା, ହନ୍ତପଡା ଗ୍ରାମ ଗୁଡିକର ପାନୀୟ ଜଳ ସମସ୍ୟା ଯୋଗୁ ହଜାର ହଜାର ଗ୍ରାମବାସୀ ପାଣି ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମର ପୂର୍ବତନ ସରପଂଚ ରଙ୍ଗାଧର ଦଳାଇ, ବରିଷ୍ଠ ଆଇନ୍ଜିବୀ ରମଣୀ ରଂଜନ ରାଉତରାୟ, ସାଧୁ ଦଳାଇ, ଦୀପକ ରାଉତରାୟ, ଦୀପୁ ରାଉତ, କାଳିଆ ବିଶ୍ୱାଳ, ଜିତନ ସାହୁ, ନଗେନ୍ଦ୍ର ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଭେଟି ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି