



ବଲାଙ୍ଗିର, ୨୫ ମେ (ହି.ସ.) - ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଆଗଲପୁର (ଡୁଡ଼ୁକା)ପଂଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସାଧାରଣ ଲୋକମାନେ ନିଜ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ସିଧାସଳଖ ଭାବରେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଏଥିରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ବିଭିନ୍ନ ଅଂଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଶୁଣିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣାଣି କରି, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଭିଯୋଗ ଗୁଡିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ।
ଆଜିର ଶିବିରରେ ମୋଟ ୧୧୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ୯୧ଟି ବ୍ୟକ୍ତିଗତ ଏବଂ ୨୫ଟି ସାମୂହିକ ଅଭିଯୋଗ ଥିଲା। ତଦ୍ମଧ୍ୟରୁ ୨୦ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଶୁଣାଣି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ ସିଂ ବରିହା, ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜନଶୁଣାଣି ପରେ ଜିଲ୍ଲାପାଳ ପଂଚାୟତ ସମିତି ପରିସରରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିଦର୍ଶନ କରିଥିଲେ । କେନ୍ଦ୍ର କିପରି ପରିଚାଳିତ ହେଉଛି ଏବଂ ଚାଷୀ କିପରି ଉପକୃତ ହୋଇପାରୁଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ଆଗଲପୁର(ଡୁଡ଼ୁକା) ପାଠାଗାର ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ବିଦ୍ୟାର୍ଥୀଙ୍କ ଭଲମନ୍ଦ ବୁଝିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ