
କେନ୍ଦ୍ରାପଡା, ୨୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ୭ଗୋଟି ପଂଚାୟତର ଲୋକ ଲୁଣାନଦୀର ଶାଖା କରାଣ୍ଡିଆ ନଦୀ ଉପରେ ନିର୍ଭର କରି ନାନା ପ୍ରକାର ଚାଷ କରିଥାନ୍ତି । କିନ୍ତୁ, ଦୀର୍ଘ ମାସ ହେଲା ଏହି କରାଣ୍ଡିଆ ନଦୀ ଶୁଖିଲା ପଡିଥିବାରୁ ଜନସାଧାରଣ ତଥା ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ହରିଅଙ୍କ, ଇନ୍ଦାଳୋ, ଜଳପୋକ, କରିଲୋପାଟଣା, ଜମପଡା, ଆୟତପୁର, ମେହେନ୍ଦିନଗର ପ୍ରଭୃତି ପଂଚାୟତର ୨୫ଟି ଗ୍ରାମ ବାଲିସାହି, କୁଳସାହି, କୋଳାପଡିଆ, ନାନକାର, ସଠିଲୋ, ପୁରୁଷୋତମପୁର, ଶିଶୁଆ, ଶାଗୁଣାଘାଇ, ଦୂରାସାହି, ଜଟେଶ୍ୱର, ଘୋଡାଦଣ୍ଡା, କରିଲୋପାଟଣା, ସନ୍ଥପଡା, ଶ୍ରୁତିପୁର, ଆୟତପୁର, ଢିହବଳରାମପୁର, ବାଲି ସିଂ, ତଳଗାଁ, ବସପୁର, ନାନକାର, ଜମପଡା, ଦଳନ୍ତା, ଗୈାଡ ଗାଁ, କରାଣ୍ଡିଆପାଟଣା ପ୍ରଭୃତି ଅଂଚଳର ଜନସାଧାରଣ ନଦୀକୁ ସମ୍ପୂର୍ଣ୍ଣ ଶୁଖିଲା ପଡିଥିବାରୁ ଦୈନିକ ହଜାର ହଜାର ଲୋକ ଏହି ନଦୀରେ କାରବାର କରୁଥିବା ସହ ଚାଷ ସମୟରେ ବିଭିନ୍ନ ଚାଷ କରିଥାନ୍ତି । କିନ୍ତୁ, ପୋଲ ନିର୍ମାଣ ପାଇଁ ବାଲିକୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଜମା କରିଦେଇଥିବାରୁ ପାଣି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ତୁରନ୍ତ ଏହି ବାଲିକୁ ହଟାଇବା ସହିତ ନଦୀରେ ପାଣି ଛାଡିବା ପାଇଁ ଶତାଧିକ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସମାଜସେବୀ ସୁଖଦା ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ ସମୟରେ ସରପଂଚ ନମିତାବାଳା ରଥଙ୍କ ସମେତ ଅନ୍ନଦା ପ୍ରସାଦ ତ୍ରିପାଠୀ, ରଙ୍ଗାଧର ଦଳାଇ, ରମଣୀ ରଂଜନ ରାଉତରାୟ, ପ୍ରଶାନ୍ତ କୁମାର ସାମନ୍ତରାୟ, ରଙ୍ଗାଧର ଦଳାଇ, ମୃତ୍ୟୁଞ୍ଜୟ ମିଶ୍ର, ଲଲିତା ମୋହନ ପୃଷ୍ଟି, ନଗେନ୍ଦ୍ର ଜେନା, ସୈାଭାଗ୍ୟ ମହାପାତ୍ର, ରମାକାନ୍ତ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି