ଖଜୁରୀ ବନ୍ଧରେ ମାଛ ମଡକ, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ନେଇ ଆଶଙ୍କା
ଜୟପୁର, ୨୫ ମଇ (ହି.ସ.)- ଜୟପୁର ସହରର ଅନ୍ୟତମ ପୁରାତନ ଜଳାଶୟ ଖଜୁରୀ ବନ୍ଧରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ଧ ପାଣିରେ ଶହ ଶହ ମାଛ ଭାସୁଥିବା ଦେଖି ସ୍ଥାନୀୟ ବାସିନ୍ଦା ଏବଂ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପ୍ରାଥମିକ ଆକଳନ ଅନୁଯାୟୀ, ୫୦ରୁ ଅଧିକ ମାଛ ମରି
ଖଜୁରୀ ବନ୍ଧରେ ମାଛ ମଡକ, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ନେଇ ଆଶଙ୍କା


ଜୟପୁର, ୨୫ ମଇ (ହି.ସ.)- ଜୟପୁର ସହରର ଅନ୍ୟତମ ପୁରାତନ ଜଳାଶୟ ଖଜୁରୀ ବନ୍ଧରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ଧ ପାଣିରେ ଶହ ଶହ ମାଛ ଭାସୁଥିବା ଦେଖି ସ୍ଥାନୀୟ ବାସିନ୍ଦା ଏବଂ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପ୍ରାଥମିକ ଆକଳନ ଅନୁଯାୟୀ, ୫୦ରୁ ଅଧିକ ମାଛ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଜୟପୁର ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ବନ୍ଧର ଜଳସ୍ତର ହ୍ରାସ ପାଇବା ସହ ପାଣି ଅତ୍ୟଧିକ ଗରମ ହୋଇଯାଇଛି। ପାଣିରେ ଅମ୍ଳଜାନର ମାତ୍ରା କମିଯିବା କିମ୍ବା ତାପମାତ୍ରା ବୃଦ୍ଧି ହେତୁ ଏହି ମାଛଗୁଡ଼ିକ ମରିଥିବା ନେଇ ସ୍ଥାନୀୟ ଲୋକେ ପ୍ରାଥମିକ ଅନୁମାନ କରୁଛନ୍ତି। ବନ୍ଧ ଚାରିପାଖରେ ଦୁର୍ଗନ୍ଧ ବ୍ୟାପିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ମୃତ ମାଛଗୁଡ଼ିକ ପାଣିରେ ସଢ଼ିବା ଆରମ୍ଭ କଲେ ଜଳ ପ୍ରଦୂଷିତ ହେବାର ଆଶଙ୍କା ରହିଛି, ଯାହାକି ସହରର ପରିବେଶ ପାଇଁ ବିପଦ ସୃଷ୍ଟି କରିପାରେ। ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବନ୍ଧରୁ ତୁରନ୍ତ ମୃତ ମାଛଗୁଡ଼ିକୁ ବାହାର କରି ସଫେଇ କାର୍ଯ୍ୟ କରିବା ସହ ଜଳର ନମୁନା ପରୀକ୍ଷା କରିବାକୁ ଦାବି ହୋଇଛି। ପ୍ରଶାସନ ପକ୍ଷରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ସଂକ୍ରମଣ ବ୍ୟାପିବା ସହ ପରିସ୍ଥିତି ସଙ୍ଗୀନ ହେବ ବୋଲି ସତର୍କ କରାଇ ଦିଆଯାଇଛି।

ଏବେ ପ୍ରଶ୍ନ ଉଠୁଛି, କେବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଏତେ ସଂଖ୍ୟକ ମାଛ ମଲେ, ନା ଅନ୍ୟ କୌଣସି ପ୍ରଦୂଷଣ ଜନିତ କାରଣରୁ ମଲେ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande