ସମାସିଂହା ଗ୍ରାମ ନାମଫଳକରେ ଭୁଲ ବନାନ : ପୂର୍ତ୍ତ ବିଭାଗକୁ ନେଇ ଅସନ୍ତୋଷ
Mistake in village name
ସମାସିଂହା ଗ୍ରାମ ନାମଫଳକରେ ଭୁଲ ବନାନ : ପୂର୍ତ୍ତ ବିଭାଗକୁ ନେଇ ଅସନ୍ତୋଷ


ଝାରସୁଗୁଡ଼ା, 25 ମେ (ହି.ସ.)

ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଥିବା ଏକ ସୂଚନା ଫଳକରେ ଗ୍ରାମର ନାମ ଭୁଲ ବନାନରେ ଲେଖାଯାଇଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ସମସ୍ତ ଅଫିସ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଜୋର ଦେଉଥିବା ବେଳେ ପୂର୍ତ୍ତ ବିଭାଗର ଏଭଳି ଅବହେଳାକୁ ନେଇ ଓଡ଼ିଆପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନା ଅନୁସାରେ, କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଗ୍ରାମ ପୂର୍ତ୍ତ ରାସ୍ତାର ସାପ୍ତାହିକ ବଜାର ପ୍ରାଙ୍ଗଣ ନିକଟରେ ବିଭାଗ ପକ୍ଷରୁ ଲଗାଯାଇଥିବା ନାମଫଳକରେ “ସମାସିଂହା” ବଦଳରେ “ସମାରସିଂହା” ଲେଖାଯାଇଛି। ସେହିପରି ଇଂରାଜୀରେ ମଧ୍ୟ ଭୁଲ ଭାବେ “ ସମାସିଂହା” ଲେଖାଯାଇଥିବା ଦେଖାଯାଇଛି।

ଏନେଇ ପୂର୍ବତନ ସରପଞ୍ଚ ହେମନ୍ତ ସାହୁ କହିଛନ୍ତି ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ଅଣଓଡ଼ିଆ କର୍ମଚାରୀଙ୍କୁ ଲେଖନୀ ଦାୟିତ୍ୱ ଦିଆଯାଉଥିବାରୁ ଏଭଳି ଭୁଲ ବନାନ ହେଉଛି। ସେ ତୁରନ୍ତ ଭୁଲ ସଂଶୋଧନ କରିବାକୁ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅନେକ ଗ୍ରାମର ନାମଫଳକରେ ଭୁଲ ବନାନ ନେଇ ଅଭିଯୋଗ ହୋଇଥିଲା। ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande