
ନୂଆପଡ଼ା,୨୫ ମଇ (ହି.ସ.)- ବସ ଧକ୍କାରେ ବାଇକ୍ ଆରୋହୀ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ଖଡ଼ିଆଳ-ନୂଆପଡ଼ା ୩୫୩ ନଂ ଜାତୀୟ ରାଜପଥର ଚଲାନପଡ଼ା ନିକଟ ବଂଶଲ୍ ରାଇସ ମିଲ ପାଖରେ ଆଜି ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଖଡ଼ିଆଳ ଥାନା ଅନ୍ତର୍ଗତ ସାନମହେଶ୍ୱର ପଞ୍ଚାୟର ବଡମହେଶ୍ୱର ଗ୍ରାମର ଅରୁଣ ମାଝୀ(୩୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅରୁଣ ଆଜି ସକାଳ ସମୟରେ ଖଡ଼ିଆଳରୁ ନିଜ ଗ୍ରାମ ବଡମହେଶ୍ୱରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଖରିଆରରୋଡରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ମଣିବାବା ନାମକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ଅରୁଣଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳବାସୀ ଶବ ରଖି ଜାତୀୟ ରାଜପଥକୁ କ୍ଷତିପୂରଣ ପ୍ରଦାନ ଦାବିରେ ଅବରୋଧ କରିଥିଲେ। କୋଡ଼ିଏ ଲକ୍ଷ କ୍ଷତିପୂରଣ ରାଶି ସହ ଅନ୍ୟାନ୍ୟ ସହଯୋଗ ଦାବି କରାଯାଇଥିଲା। ଖଡ଼ିଆଳ ଅତିରିକ୍ତ ତହସିଲଦାର ସୁଧାଂଶୁ ମାଝୀ, ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଥାନାଧିକାରୀ ସୁମନ୍ତ କୁମାର ନାଏକଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହ ଦୁର୍ଘଟଣା ଘଟାଇଥିବା ବସ ମାଲିକ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ