

ସମ୍ବଲପୁର,୩୧, ମେ (ହି.ସ.) - ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ଉପାୟ ଅବଲମ୍ବନ କରି ସାଧାରଣ ଲୋକଙ୍କୁ ଠକୁଥିବା ବେଳେ ବର୍ତମାନ ଏକ ଏପିକେ ଫାଇଲ ମାଧ୍ୟମରେ ହ୍ୱାଟସ୍ଆପ୍ ହ୍ୟାକିଂ ଘଟଣା ସାମ୍ନାକୁ ଆସିଛି। ବାମରା ବ୍ଲକ ଅନ୍ତର୍ଗତ କୁଟାରିମାଲ ଗ୍ରାମ ପଂଚାୟତର ସମିତି ସଭ୍ୟ ଭିକାରୀ ବୁଦୁଲାଙ୍କ ହ୍ୱାଟସ୍ଆପ୍ ହ୍ୟାକ୍ ହୋଇ ତାଙ୍କ ବ୍ୟାଙ୍କ ଆକାଉଂଟରୁ ଟଙ୍କା କଟିଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସାନ ଫିନିଙ୍ଗିବାହାଲ ଗ୍ରାମର ବାସିନ୍ଦା ତଥା ସମିତି ସଭ୍ୟ ଭିକାରୀ ବୁଦୁଲାଙ୍କ ହ୍ୱାଟସ୍ଆପକୁ ଏକ ସନ୍ଦେହଜନକ ଏପିକେ ଫାଇଲ ଆସିଥିଲା। ଏହା କଣ ଜାଣିବା ପାଇଁ ସେ ଉକ୍ତ ଫାଇଲ ଉପରେ କ୍ଲିକ୍ କରିଥିଲେ। ତେବେ ଏହା ପରଠାରୁ ତାଙ୍କ ହ୍ୱାଟସ୍ଆପ୍ ଆକାଉଂଟ ହ୍ୟାକ୍ ହୋଇଯାଇଥିବା ସନ୍ଦେହ କରାଯାଉଛି। ଅଭିଯୋଗ ଅନୁଯାୟୀ, ଫାଇଲଟିରେ କ୍ଲିକ୍ କରିବା ପରେ ତାଙ୍କ ହ୍ୱାଟସ୍ଆପେରେ ସଂରକ୍ଷିତ ଥିବା ବିଭିନ୍ନ କଂଟକ୍ଟଙ୍କ ପାଖକୁ ସେହି ଏପିକେ ଫାଇଲ ଆପେଆପେ ପଠାଯାଇଥିଲା। ଏହା ଫଳରେ ଅନ୍ୟମାନେ ମଧ୍ୟ ସାଇବର ଠକଙ୍କ ଜାଲରେ ଫସିବାର ଆଶଙ୍କା ସୃଷ୍ଟି ହୋଇଛି। ପରେ ତାଙ୍କ ଆକାଉଂଟରୁ ପ୍ରାୟ ୧୧୦୦ ଟଙ୍କା କଟିଯାଇଥିବା ସେ ଜାଣିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଭିକାରୀ ବୁଦୁଲା ତୁରନ୍ତ ଗୋବିନ୍ଦପୁର ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତି କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ସୂଚନା ସାମ୍ନାକୁ ଆସିଥିଲା। ସାଇବର ବିଶେଷଜ୍ଞଙ୍କ ମତାନୁସାରେ ଏପିକେ ଫାଇଲ ହେଉଛି ଆଣ୍ଡ୍ରଏଡ୍ ଆପ୍ଲିକେସନର ଇନଷ୍ଟଲେସନ ଫାଇଲ। ଅଜଣା ଉତ୍ସରୁ ଆସୁଥିବା ଏପିକେ ଫାଇଲରେ ମାଲୱେର କିମ୍ବା ଭାଇରସ୍ ଲୁଚିଥାଇପାରେ। ଏଥିରେ କ୍ଲିକ୍ କରିବା ମାତ୍ରେ ମୋବାଇଲର ବ୍ୟକ୍ତିଗତ ତଥ୍ୟ, ୱାଟସ୍ଆପ୍ ଆକାଉଂଟ, ବ୍ୟାଙ୍କିଂ ସୂଚନା ଓ ଓଟିପି ପର୍ଯ୍ୟନ୍ତ ଠକମାନଙ୍କ ହାତକୁ ଚାଲି ଯାଇପାରେ। ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଡିଜିଟାଲ ଯୁଗରେ ସଚେତନତା ହିଁ ସବୁଠାରୁ ବଡ଼ ସୁରକ୍ଷା। ଗୋଟିଏ ଅଜଣା ଫାଇଲରେ ଅସାବଧାନତା ବଶତଃ କ୍ଲିକ୍ କରିବା ଦ୍ୱାରା ବ୍ୟକ୍ତିଗତ ତଥ୍ୟ ସହ ଆର୍ôଥକ କ୍ଷତି ମଧ୍ୟ ହୋଇପାରେ। ସେଥିପାଇଁ ସାଧାରଣ ଲୋକମାନେ ଏପରି ସନ୍ଦେହଜନକ ଫାଇଲ ଓ ଲିଙ୍କ୍ ପ୍ରତି ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି ସାଧାରଣରେ ସଚେତନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ