
ଝାରସୁଗୁଡ଼ା, ୩୧ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପୋଲିସ ବିଭାଗରେ ଆଇଆଇସି ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଜିଲ୍ଲା ପୋଲିସ ପ୍ରତିଷ୍ଠାନ ବୋର୍ଡର ସୁପାରିଶ କ୍ରମେ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଆଦେଶ ସଂଖ୍ୟା–୮୭୩ ଜାରି କରାଯାଇ ଏହି ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
ପ୍ରକାଶିତ ଆଦେଶ ଅନୁଯାୟୀ, ଲଖନପୁର ଥାନାର ଆଇଆଇସି ଭାବେ କାର୍ଯ୍ୟରତ ଶୋଭାକର ସେଠଙ୍କୁ ଝାରସୁଗୁଡ଼ା ସଦର ଥାନାର ନୂତନ ଆଇଆଇସି ଭାବେ ବଦଳି କରାଯାଇଛି। ସେହିପରି ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଇନ୍ସପେକ୍ଟର ପୂର୍ଣ୍ଣମୀ ଓରାମଙ୍କୁ ଲଖନପୁର ଥାନାର ନୂତନ ଆଇଆଇସି ଦାୟିତ୍ୱ ଦିଆଯାଇଛି। ସଦର ଥାନାର ଆଇଆଇସି ସ୍ୱପ୍ନାରାଣୀ ଗୋଚ୍ଛାୟତଙ୍କୁ ଝାରସୁଗୁଡ଼ା ଆଇଏଏଚଟିୟୁକୁ ବଦଳି କରାଯାଇଥିବା ବେଳେ, ଆଇଏଏଚଟିୟୁରେ କାର୍ଯ୍ୟରତ ଇନ୍ସପେକ୍ଟର ବୀରବର ଭଗତଙ୍କୁ ଆଇୟୁସିଏଡବ୍ଲ୍ୟୁକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାରୁ ଝାରସୁଗୁଡ଼ାକୁ ବଦଳି ହୋଇ ଆସିଥିବା ଏଏସଆଇ କମଳିନୀ ନାୟକଙ୍କୁ ଯୋଗଦାନ ପରେ ବ୍ରଜରାଜନଗର ଥାନାରେ ନିଯୁକ୍ତି ଦିଆଯାଇଛି। ଝାରସୁଗୁଡ଼ା ଏସପିଙ୍କ ଦ୍ୱାରା ଜାରି ହୋଇଥିବା ଏହି ଆଦେଶରେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବର୍ତ୍ତମାନର କାର୍ଯ୍ୟଭାରରୁ ଅବ୍ୟାହତି ନେଇ ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ