
ଝାରସୁଗୁଡା, ୩୧ ମଇ (ହି.ସ.)- ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକରେ ଗ୍ରାମୀଣ ଯାତାୟାତ ବ୍ୟବସ୍ଥାର ଉନ୍ନତି ଓ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରବିବାର ୫୪ କୋଟି ଟଙ୍କାରୁ ଅଧିକ ବ୍ୟୟର ୫ଟି ପ୍ରମୁଖ ସଡ଼କ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଛି। ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ, ସହକାରୀ ଯନ୍ତ୍ରୀ ବନମାଳୀ ନାଏକ ଓ ବିଭିନ୍ନ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଯୋଜନାରେ ଅନୁମୋଦିତ ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଅଞ୍ଚଳର ସଡ଼କ ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ସ୍ଥାନୀୟ ବ୍ୟବସାୟ ଓ ଅର୍ଥନୈତିକ ବିକାଶକୁ ମଧ୍ୟ ନୂତନ ଗତି ମିଳିବ ବୋଲି ମତ ପ୍ରକାଶ ପାଇଛି।
ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ତିଳେଇମାଲ–ପାକେଲପଡ଼ା ୪.୩ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ ପାଇଁ ୯.୯୫ କୋଟି ଟଙ୍କା, ଗମ୍ଭାରୀଗୁଡ଼ା–ସାନ୍ଧୁରଜାମ ୩.୭୮୮ କିଲୋମିଟର ରାସ୍ତା ପାଇଁ ୮.୫୩ କୋଟି ଟଙ୍କା, ହୁଡୁକୁଡିହି–ନାଏକକର୍ଲା ୪.୪୩ କିଲୋମିଟର ରାସ୍ତାର ଉନ୍ନତି ପାଇଁ ୭.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି।
ସେହିପରି ନନ୍ଦମୁଣ୍ଡା–ତିଳେଇମାଲ ୭.୬୧ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ୧୩.୯୦ କୋଟି ଟଙ୍କା ଏବଂ ପାକେଲପଡ଼ା–ଖଉରଖେମନ ୮ କିଲୋମିଟର ରାସ୍ତାର ସମ୍ପ୍ରସାରଣ ଓ ବିକାଶ ପାଇଁ ସର୍ବାଧିକ ୧୪.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଶିଳାନ୍ୟାସ ଉତ୍ସବରେ କୁଳମଣି କିଶାନ, ମୌଜିଲାଲ ଡୋମସାନା, ନବୀନ କର୍ତ୍ତେ, ନବୀନ ବୁଦୁଲା, ଟିକେଶ୍ୱର ପୃସେଠ, ନିର୍ମଳ ପଟେଲ, ଦୁତିକା ଓରାମ, ମଧୁ ରଣା ଓ ବାସନ୍ତୀ ନାଏକଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
ସମସ୍ତ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେଲେ ଲଇକେରା ବ୍ଲକର ଗ୍ରାମୀଣ ଯାତାୟାତ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହ ଅଞ୍ଚଳର ସାମଗ୍ରିକ ବିକାଶକୁ ନୂଆ ଦିଗ ମିଳିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ