ବଙ୍ଗଳାଦେଶ ଅନୁପ୍ରବେଶକାରୀଙ୍କ ପାଇଁ କେନ୍ଦ୍ରାପଡ଼ା ସୀମା ମୁକୁଳା
ମନ୍ଥର ଗତିରେ ଚାଲିଛି ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ଅଭିଯାନ ଆରମ୍ଭ ହେବା ପରେ କେନ୍ଦ୍ରାପଡା ପ୍ରଶାସନ ପକ୍ଷରୁ ସୀମା ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି। ତାଳଚୁଆ, ଜମ୍ବୁ, ତନ୍ତିଆପାଳ ସାମୁଦ୍ରିକ ଥାନା ଅଂଚ
ବଙ୍ଗଳାଦେଶ ଅନୁପ୍ରବେଶକାରୀଙ୍କ ପାଇଁ କେନ୍ଦ୍ରାପଡ଼ା ସୀମା ମୁକୁଳା


ମନ୍ଥର ଗତିରେ ଚାଲିଛି ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ଅଭିଯାନ ଆରମ୍ଭ ହେବା ପରେ କେନ୍ଦ୍ରାପଡା ପ୍ରଶାସନ ପକ୍ଷରୁ ସୀମା ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି। ତାଳଚୁଆ, ଜମ୍ବୁ, ତନ୍ତିଆପାଳ ସାମୁଦ୍ରିକ ଥାନା ଅଂଚଳରେ ହାଇଆଲର୍ଟ ଜାରି କରାଯାଇଛି। ଭାରତୀୟ ସମୁଦ୍ର ସୀମା ମଧ୍ୟରେ ପୋଲିସ ଘନଘନ ପାଟ୍ରୋଲିଂ ଚଳାଇଛି। ପ୍ରତ୍ୟେକ ସନ୍ଦିଗ୍ଧ ଉପରେ ନଜର ରଖିଛି ମେରାଇନ ପୋଲିସ ପଡ଼ୋଶୀ ପଶ୍ଚିମ ବଙ୍ଗରେ ଅନୁପ୍ରବେଶକାରୀଙ୍କୁ ନେଇ ଆରମ୍ଭ ହୋଇଛି ତନାଘନା। ବର୍ଷବର୍ଷ ଧରି ପଶ୍ଚିମ ବଙ୍ଗରେ ପାଦ ଜମେଇ ସାରିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଏବେ ସୀମା ମୁହାଁ ହୋଇଛନ୍ତି। ତେବେ କିଛି ଅନୁପ୍ରବେଶକାରୀ ଓଡ଼ିଶା ସୀମା ମଧ୍ୟକୁ ପଶି ଆସିବାର ଆଶଙ୍କା କରି କେନ୍ଦ୍ରାପଡା ପୋଲିସ ପକ୍ଷରୁ ସୀମା ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ସମୁଦ୍ର ସୀମା ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଜିଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ବିଶେଷ ଭାବେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ଓ ଥଇଥାନ ପାଇଁ ଭରପୁର ସୁଯୋଗ ରହିଛି। କାରଣ ଏହି ଦୁଇଗୋଟି ବ୍ଲକ୍ ସମୁଦ୍ର ସୀମାକୁ ଲାଗିକରି ରହିଛି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଶିଫ୍ଟ ଅନୁଯାୟୀ ପାଟ୍ରୋଲିଂ କରୁଛି ପୋଲିସ। ଏଥିରେ ପୋଲିସ ସହିତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି କାମରେ ପୋଲିସ ଗୁପ୍ତଚର ମଧ୍ୟ ନିୟୋଜିତ କରିଛି। ଏଥିପାଇଁ ସ୍ପିଡ଼୍ ବୋଟ୍, ଡ୍ରୋନ, ଅସ୍ତ୍ରଶସ୍ତ୍ର ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଅତିରିକ୍ତ ଫୋର୍ସ ମୁତୟନ ପାଇଁ ଜିଲା ପୋଲିସ ପ୍ରସ୍ତୁତ ହୋଇ ରହିଥିବା କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ କହିଛନ୍ତି। କେବଳ ଜଳଭାଗ ନୁହଁ ବରଂ ମାଛଧରା ଜେଟୀ, ଘାଟ ଓ ସମୁଦ୍ରକୂଳିଆ ଜନବସତି ଉପରେ କଡ଼ା ନଜର ରଖିଛି ପୋଲିସ। ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା ଜିଲାରେ ବାଂଲା ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟକୁ ନେଇ ଚର୍ଚ୍ଚା ଆଲୋଚନା ହୋଇ ଆସୁଛି। କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ଅଂଚଳ ସମୁଦ୍ରକୁ ଲାଗି ରହିଥିବାବେଳେ ମହାକାଳପଡ଼ା ଓ ରାଜନଗର ବ୍ଲକର କେତେକ ଗାଁରେ ବାଙ୍ଗଲା ଅନୁପ୍ରବେଶକାରୀ ଲୁଚି ରହିଥିବା ଜଣାପଡ଼ିଛି। ତେବେ ରାଜନଗର ବ୍ଲକ୍ର ୫୫ ଓ ମହାକାଳପଡ଼ା ବ୍ଲକ୍ର ୪୧ ଗୋଟି ଗାଁରେ ୫୦ ପ୍ରତିଶତରୁ ଅଧିକ ବାଙ୍ଗ ଭାଷାଭାଷୀ ଲୋକେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ନେଇ ସନ୍ଦେହ କରାଯାଉଛି। ୨୦୦୪ ଜନଗଣନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧୬୪୯ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମହାକାଳପଡ଼ାରୁ ୧୫୫୧, ରାଜନଗର ୩୦ ଓ ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରୁ ମୋଟ ୬୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ନୋଟିସ କରି ଚୁପ୍ ବସିଥିଲା ପ୍ରଶାସନ। ତେବେ ବର୍ତମାନ ଏହି ସଂଖ୍ୟା ତାଠାରୁ କେତେ ଗୁଣ ଅଧିକ ହେବ ତାର ହିସାବ କାହା ପାଖରେ ନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande