

ଭୁବନେଶ୍ୱର, ୩୧ ମଇ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ମଇ ୩୧ ତାରିଖ ସକାଳ ଠାରୁ ଜୁନ୍ ୭ ତାରିଖ ସକାଳ ସୁଦ୍ଧା କାଳବୈଶାଖୀ ସମ୍ଭାବନା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା(କନ୍ଧମାଳ, ଗଜପତି) ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୮ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା)କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୬ ଜିଲ୍ଲା(ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, ନୂଆପଡା, ଅନୁଗୁଳ, ବୌଦ୍ଧ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୋରାପୁଟ, ମାଲକାନଗିରି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୦ କି.ମି., ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ ।
ଅନୁରୂପ ଭାବେ ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଜୁନ୍ ୧ ତାରିଖ ସକାଳ ଠାରୁ ୨ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨ ତାରିଖ ସକାଳ ଠାରୁ ୩ ତାରିଖ ସକାଳ ସୁଦ୍ଧା ୧୩ ଜିଲ୍ଲା, ୩ ତାରିଖ ସକାଳ ଠାରୁ ୪ ତାରିଖ ସକାଳ ସୁଦ୍ଧା ୯ ଜିଲ୍ଲା, ୪ ତାରିଖ ସକାଳ ଠାରୁ ୫ ତାରିଖ ସକାଳ ସୁଦ୍ଧା ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ