

ଭୁବନ, ୩୧ ମଇ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଅନନ୍ତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦୁଷ୍ମନ୍ତ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ଶ୍ରୀମତୀ ସୁମତି ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ବିଆରସିସି ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ଆଇଚ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିପିନ ମଲିକ ଯୋଗଦେଇଥିଲେ । ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା ସାହୁଙ୍କ ଶିକ୍ଷକତା ଶୈଳୀକୁ ଉଚ୍ଚ ପ୍ରଶଂସା କରିବା ସହ ନିଜ ବୃତ୍ତିକୁ ଭଲ ପାଅ ଏବଂ ସମୟାନୁବର୍ତ୍ତିତା ହୁଅ ବୋଲି ଅତିଥି ମାନେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା ସାହୁ ଅତ୍ୟନ୍ତ କୋହଭରା କଣ୍ଠରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀମତୀ ସାହୁଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।
ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଅମର ଦାଶ , ଶିକ୍ଷୟିତ୍ରୀ ଉଜ୍ଜ୍ୱଳା ପ୍ରଧାନ, ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ