

ସମ୍ବଲପୁର, ୩୧, ମେ (ହି.ସ.) - ଆସନ୍ତା ଶୀତଳ ଷଷ୍ଠୀ ମହୋତ୍ସବକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅଗ୍ରୀମ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ସବର ପ୍ରାୟ ୨୦ ଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୬ଟି ନାକା ଓ ଷ୍ଟାଟିକ୍ ପୋଷ୍ଟ ସ୍ଥାପନ କରାଯାଇଛି। ଏହି ପୋଷ୍ଟଗୁଡ଼ିକ ନନ୍ଦପଡ଼ା ଜଗନ୍ନାଥ ମନ୍ଦିର, ଠେଲକୋପଡ଼ା ଜଳ ଟାଙ୍କି ନିକଟ, ଜି.ଏମ୍. ବିଶ୍ୱବିଦ୍ୟାଳୟ, ବଡ଼ବଜାର, ଗୋପାଳମାଲ-କଟର୍ଧୁଆ, ଭୀମ ଭୋଇ ପାର୍କ (ଶାନ୍ତିନଗର), ରେଳ ଷ୍ଟେସନ, ଧନୁପାଲି, ନେଲସନ ମଣ୍ଡେଲା ଛକ, ଧନକଉଡ଼ା ଛକ, ଆଦର୍ଶ ମାର୍ଗ, ରେମେଡ ଛକ, ଲକ୍ଷ୍ମୀଡୁଙ୍ଗୁରି ଛକ, ବିହାରୀପଡ଼ା (ହୀରାକୁଦ), ଶାସନ ବାଇପାସ ଓ ବୁର୍ଲାରେ ଏକ ପଥର ଗେଟ୍ ସ୍ଥାପନ କରାଯାଇଛି। ପୋଲିସର ଏହି ଆଗୁଆ ପଦକ୍ଷେପର ଉଦ୍ଦେଶ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାର ଭାବନା ସୃଷ୍ଟି କରିବା, ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ଏବଂ ଏକ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା। ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟରେ ନିଶାସକ୍ତ ଅବସ୍ଥାରେ ମଦ୍ୟପଙ୍କ ଅସଦାଚରଣ, ସନ୍ଦିଗ୍ଧ ଗତିବିଧି ଏବଂ ଭିଡ଼ପୂର୍ଣ୍ଣ ଅଂଚଳରେ ଆଇନ-ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ନାକା ଓ ଷ୍ଟାଟିକ୍ ପୋଷ୍ଟ ମାଧ୍ୟମରେ ନିୟମିତ ଯାନବାହନ ଯାଂଚ, ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନଜରଦାରୀ, ଅସାମାଜିକ ତତ୍ୱଙ୍କ ଉପରେ କଡ଼ା ନଜର ଏବଂ କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ପୋଲିସ ପ୍ରତିକ୍ରିୟା ସୁନିଶ୍ଚିତ କରାଯିବ। ସମ୍ବଲପୁର ପୋଲିସ ପ୍ରଶାସନ ଶୀତଳ ଷଷ୍ଠୀ ଉତ୍ସବ ପୂର୍ବରୁ ଶାନ୍ତି, ସୁରକ୍ଷା ଓ ଜନନିରାପତା ବଜାୟ ରଖିବା ପାଇଁ ପ୍ରତିବଦ୍ଧ ଥିବା ବେଳେ ଏହି ସାମୂହିକ ପ୍ରୟାସରେ ସାଧାରଣ ଜନତାଙ୍କୁ ସହଯୋଗ କରିବା ମୂଳଲକ୍ଷ୍ୟ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ