
କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ଯୁବକବି ଗୋଲାପ ରାଉତଙ୍କ ପ୍ରଥମ କବିତା ସଙ୍କଳନ ଫୁଟପାଥର ସ୍କେଚ୍’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଡକ୍ଟର ମମତାମୟୀ ଚୌଧୁରୀ ଗୋଲାପଙ୍କ ରଚିତ ପ୍ରତିଟି କବିତାରେ ଜୀବନ ଯନ୍ତ୍ରଣାର ସ୍ୱର ଅତି ସ୍ପଷ୍ଟତାର ସହିତ ଆତ୍ମପ୍ରକାଶ କରିଛି ବୋଲି କହିଥିଲେ। ଉତ୍ସବର ମୁଖ୍ୟବକ୍ତା ଡକ୍ଟର ଶ୍ରୀଧର ସାମଲ କବିତା ପୁସ୍ତକ ସମୀକ୍ଷା କରି କବିତାର ଅନ୍ତରାତ୍ମା ସମାଜର ପ୍ରତିନିଧିତ୍ୱ କରେ ବୋଲି କହିଥିଲେ। କବି ରମେଶ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ନନ୍ଦ କିଶୋର ପରିଡା, କବି ବୃନ୍ଦାବନ ଦାସ, କବି ସ୍ୱପ୍ନାଂଶ ଦାସ, କବି ସୁରେନ୍ଦ୍ର ନାଥ ଜେନା, କବି ପ୍ରେମାନନ୍ଦ ଖଣ୍ଡୁଆଳ, କଥାକାର ମାତୃଦତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ କବିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁହାଣ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଏହି କବିତା ସଙ୍କଳନରେ ମୋଟ ୪୩ ଗୋଟି କବିତା ସ୍ଥାନିତ ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି