ବର୍ଷା ଋତୁ ପାଇଁ ବିଏମ୍ ସିର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର , 08 ମେ (ହି.ସ.) - • ଡ୍ରେନରୁ ବାହାରୁଥିବା ପଙ୍କ 24 ଘଣ୍ଟା ମଧ୍ୟରେ ସ୍ଥାନାନ୍ତର ପାଇଁ କଡା ନିର୍ଦେଶ • ମୌସୁମି ପୂର୍ବରୁ ସମସ୍ତ ବିଭାଗ ରାସ୍ତା ବଖୋଳିବା ବନ୍ଦ କରିବେ • ଗଛ ଡାଳ କାଟିବା, ଡ୍ରେନ ମରାମତି ଓ ପଙ୍କୋଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ । ବର
ବର୍ଷା ଋତୁ ପାଇଁ ବିଏମ୍ ସିର ପ୍ରସ୍ତୁତି ବୈଠକ


ଭୁବନେଶ୍ୱର , 08 ମେ (ହି.ସ.) -

• ଡ୍ରେନରୁ ବାହାରୁଥିବା ପଙ୍କ 24 ଘଣ୍ଟା ମଧ୍ୟରେ ସ୍ଥାନାନ୍ତର ପାଇଁ କଡା ନିର୍ଦେଶ

• ମୌସୁମି ପୂର୍ବରୁ ସମସ୍ତ ବିଭାଗ ରାସ୍ତା ବଖୋଳିବା ବନ୍ଦ କରିବେ

• ଗଛ ଡାଳ କାଟିବା, ଡ୍ରେନ ମରାମତି ଓ ପଙ୍କୋଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ।

ବର୍ଷା ଋତୁ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ପ୍ରସ୍ତୁତି ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରା, ଜୋନାଲ କମିଶନର ଶ୍ରୀ ଆସନୀ ଏ.ଏଲ୍, ସ୍ୱାସ୍ଥ୍ୟ ଓ ପରିମଳ ଷାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଅଭିଯୋଗ ଶୁଣାଣି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ବିନୟିନୀ ଜେନା, ସାଂସ୍କୃତିକ ଷାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଓ୍ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀଧର ବେହେରା ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବହୁ କର୍ପୋରେଟର, ସଂଯୁକ୍ତ ବିଭାଗର ଅଧିକାରୀ ଏବଂ ବିଏମ୍ ସିର ସମସ୍ତ ଅଧିକାରୀ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ ।

ଆସନ୍ତା ବର୍ଷାଋତୁ ପାଇଁ ସମସ୍ତ ଉପବିଭାଗୀୟ ଅଧିକାରୀ ଓ ବିଭିନ୍ନ ସଂଯୁକ୍ତ ବିଭାଗ ସଜାଗ ରହିବା ସହ ବର୍ଷାଋତୁ ଆରମ୍ଭ ହେବା ପୂର୍ବରୁ ସମସ୍ତ ଡ୍ରେନର ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ମେୟର କହିଛନ୍ତି । ଏବେଠାରୁ ଗଛର ଡାଳଗୁଡିକୁ କାଟିବା ପାଇଁ ବିଏମ୍ ସିକୁ ନିର୍ଦେଶ ଦେବା ସହ ଏହି କାର୍ଯ୍ୟରେ ଆବଶ୍ୟକସ୍ଥଳେ ସହାୟତା କରିବା ପାଇଁ ଅଗ୍ନିଶମ ବିଭାଗକୁ ଅନୁରୋଧ କରିଛନ୍ତି ମେୟର । ବର୍ଷା ସମୟରେ ପାଣି ଜମି ରହିବାର ସମ୍ଭାବନା ଥିବା ସ୍ଥାନଗୁଡିରେ ପାଣି ପମ୍ପଗୁଡିକର ସର୍ଭିସ କରାଇ ପ୍ରସ୍ତୁତ ରଖିବା ସହ ରାଟ ଟିମ୍ କୁ ଏବେଠାରୁ ସଜାଗ କରାଇବାକୁ ସେ କହିଛନ୍ତି । ସହରରେ ଥିବା ପ୍ରମୁଖ ଡ୍ରେନଗୁଡିକର କାର୍ଯ୍ୟ ଭଲଭାବେ ହେଉ ଏବଂ ସେଥିରୁ ପଙ୍କୋଦ୍ଧାର କରିବା ସହ ଡ୍ରେନ କାନ୍ଥକୁ କିପରି ଗଛଗୁଡିକ କ୍ଷତି ପହଞ୍ଚାଇ ପାରିବେନି ସେହି ବାବଦରେ ପଦକ୍ଷେପ ନିଆଯିବ । ଏପରିକି ଡ୍ରେନ ପାର୍ଶ୍ୱରେ ଥିବା ଯଦି କୌଣସି ଗୃହ ମାଲିକ ପାଚେରୀ ପାଖରେ ଗଛ ଲଗାଇଛନ୍ତି, ସେମାନଙ୍କୁ ନୋଟିସ ଦେବା ପାଇଁ ନିର୍ଦେଶ ଦିଆଯାଇଛି । ଯେଉଁଠାରେ ଡ୍ରେନ ଭାଙ୍ଗିଯାଇଛି ସେଗୁଡିକୁ ତୁରନ୍ତ ମରାମତି କରିବା, ସ୍ଲାବ ପଡି ନଥିବା ସ୍ଥାନରେ ବର୍ଷା ଋତୁ ପୂର୍ବରୁ ସ୍ଲାବ ପକାଇବା ଏବଂ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିବା ସ୍ଥାନଗୁଡିକରେ ବ୍ୟାରିକେଡ କରିବାକୁ ସେ ନିର୍ଦେଶ ଦେଇଛନ୍ତି ।

ଏହି ଅବସରରେ ବର୍ଷା କିମ୍ବା କାଳ ବୈଶାଖି ସମୟରେ କର୍ପୋରେଟରଙ୍କ ସହ ସଂଯୁକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗଯୋଗ କରିବା ନିମନ୍ତେ ସେମାନଙ୍କର ନାମ ଓ ଫୋନ୍ ନମ୍ବର ସମ୍ବଳିତ ଏକ ତାଲିକା ପ୍ରସ୍ତୁତ କରିବାକୁ କମିଶନର ଶ୍ରୀ ଚଞ୍ଚଳ ରାଣା ନିର୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ଡ୍ରେନରୁ ବାହାରୁ ଥିବା ପଙ୍କକୁ 24 ଘଣ୍ଟା ମଧ୍ୟରେ ସ୍ଥାନାନ୍ତର କରିବାକୁ କଡାକଡି ନିର୍ଦେଶ ଦେଇଛନ୍ତି କମିଶନର । ଖାସ୍ କରି ଓ୍ୱାଟକୋ ପଙ୍କୋଦ୍ଧାର କରୁଥିଲେ ମଧ୍ୟ ସେଗୁଡିକୁ ରାସ୍ତା ଉପରୁ ଉଠାଉ ନଥିବା କର୍ପୋରେଟରମାନେ ଅଭିଯୋଗ କରିଥିଲେ । ଓ୍ୱାର୍ଡ ସ୍ତରରେ ବିଦ୍ୟାଳୟଗୁଡିକୁ ବାତ୍ୟାଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ କୁହାଯାଇଛି । ସେଠାରେ ଆଲୋକ, ଲାଇଟ୍, ପାଇଖାନା, ପାନୀୟ ଜଳ ଆଦି ବ୍ୟବସ୍ଥା ଯାଞ୍ଚ କରିବା ସହ ଆବଶ୍ୟକସ୍ଥଳେ ପୂର୍ବରୁ ମରାମତି କରିବା ପାଇଁ ମଧ୍ୟ କମିଶନର ପରାମର୍ଶ ଦେଇଛନ୍ତ । ସେହିପରି ବିଏମ୍ ସି କଲ୍ୟାଣ ମଣ୍ଡପ ଓ କମ୍ୟୁନିଟ୍ ସେଣ୍ଟରଗୁଡିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପାଣି ଜମିବାର ସମ୍ଭାବନା ଥିବା ଅଂଚଳରେ ଏବେ ଓ୍ୱାଟକୋ, ଟିପିଡିଓସିଏଲ୍ କିମ୍ବା ଅନ୍ୟ କୌଣସି ବିଭାଗ ଖୋଳାଖୋଳି କାର୍ଯ୍ୟ ନ କରିବାକୁ କମିଶନର କହିଛନ୍ତି । ଯେଉଁକାର୍ଯ୍ୟ ଏବେ ଚାଲୁ ରହିଛି, ସେଗୁଡିକୁ ତୁରନ୍ତ ସାରିବା ପାଇଁ ବିଭିନ୍ନ ବିଭାଗକୁ ତାଗିଦ କରିଛନ୍ତି କମିଶନର । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି । ସେଗୁଡିକୁ ତୁରନ୍ତ ପରିବର୍ତ୍ତନ କରିବା ପାଇଁ ଟାଟା ପାଓ୍ୱାରକୁ ନିର୍ଦେଶ ଦେଇଛନ୍ତି କମିଶନର । ଗଛ ଡାଳ କାଟିବା, ବିଦ୍ୟୁତ୍ ଆଲୋକ ଆଦି କାର୍ଯ୍ୟ ତଦାରଖ କରିବା ପାଇଁ ଉଭୟ ବିଏମ୍ ସି ବିଦ୍ୟୁତ୍ ବିଭାଗ ଏବଂ ଟିପିଡିଓସିଏଲକୁ ନିର୍ଦେଶ ଦେଇଛନ୍ତି ।

ବିଭିନ୍ନ ଓ୍ୱାର୍ଡରେ ରହିଥିବା ସମସ୍ୟା, କର୍ପୋରେଟରମାନେ ଉପସ୍ଥାପନ କରିଥିଲେ । ଗୋଟି ଗୋଟି କରି ସେହି ସମସ୍ୟାଗୁଡିକର ସମାଧାନ କରିବା ପାଇଁ ସଂପୃକ୍ତ ଉପବିଭାଗୀୟ ଅଧିକାରୀ ଏବଂ ସଂଯୁକ୍ତ ବିଭାଗର ଅଧିକାରୀଙ୍କୁ କମିଶନ ନିର୍ଦେଶ ଦେଇଛନ୍ତି । ଏ ସମସ୍ତ କାର୍ଯ୍ୟ ମୌସୁମି ପୂର୍ବରୁ ଶେଷ କରିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଏବଂ ଧନ୍ୟବାଦ ଦେଇଥିଲେ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande