ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ ସିର ବିଭିନ୍ନ ପଦକ୍ଷେପ
ଭୁବନେଶ୍ୱର, 08 ମେ (ହି.ସ.)- ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ପ୍ରତିଦିନ ଲୋକମାନଙ୍କ ଘର ଓ ଦୋକାନରୁ ଓଦା ଓ ସୁଖିଲା ବର୍ଜ୍ୟ ଅଲଗା ଅଲଗା ସଂଗ୍ରହ ହେଉଛି । ମାର୍କେଟ ଅଂଚଳରୁ ଦିନକୁ ଦୁଇଥର ବର୍ଜ୍ୟ ସଂ
ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ ସିର ବିଭିନ୍ନ ପଦକ୍ଷେପ


ଭୁବନେଶ୍ୱର, 08 ମେ (ହି.ସ.)- ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ପ୍ରତିଦିନ ଲୋକମାନଙ୍କ ଘର ଓ ଦୋକାନରୁ ଓଦା ଓ ସୁଖିଲା ବର୍ଜ୍ୟ ଅଲଗା ଅଲଗା ସଂଗ୍ରହ ହେଉଛି । ମାର୍କେଟ ଅଂଚଳରୁ ଦିନକୁ ଦୁଇଥର ବର୍ଜ୍ୟ ସଂଗ୍ରହ କରାଯାଉଛି । ନିର୍ଦ୍ଦିଷ୍ଟ ଦିନରେ ବିପଦ ପୂର୍ଣ୍ଣ ଇଲେକ୍ଟ୍ରିକ୍ ବର୍ଜ୍ୟ ମଧ୍ୟ ସଂଗ୍ରହ କରାଯାଉଛି । ଦୈନିକ ସକାଳୁ ସଫେଇବାଲା ଗାଡିରେ ବାଜୁଥିବା ଗୀତ, ଲୋକମାନଙ୍କର ନିଦ ଭାଙ୍ଗିଦିଏ । କାରଣ “ମୁଁ ସଫେଇବାଲା” ଗୀତ ବାଜିବା ମାତ୍ରେ ସମସ୍ତେ ଘରୁ ଅତି କମରେ ଦୁଇଟି ଡଷ୍ଟବିନ ଧରି ସଦର ଦରଜା ନିକଟରେ ଠିଆ ହୋଇଯାଆନ୍ତି। ସଫେଇବାଲା ମଧ୍ୟ ଉଭୟ ଓଦା ଓ ସୁଖିଲା ବର୍ଜ୍ୟକୁ ନେଇ ଗୋଟିଏ ଗାଡିରେ ଅଲଗା ଅଲଗା ବାକ୍ସରେ ରଖିଦିଏ ।

ଘରୁ ବାହାରୁଥିବା ବର୍ଜ୍ୟକୁ ସିନା ସଫେଇବାଲା ଗାଡି ନେଇଯାଏ, କିନ୍ତୁ ରାସ୍ତାରେ ପଡିଥିବା ବର୍ଜ୍ୟକୁ ସଫେଇ କର୍ମୀମାନେ ସୁନ୍ଦର ଭାବେ ଓଳାଇ ଠାଆକୁ ଠାଆ ଜମା କରିଦିଅନ୍ତି । ତାଙ୍କ ପଛେ ପଛେ ବର୍ଜ୍ୟ ଟ୍ରଲି ଧରି ଅନ୍ୟ ଜଣେ ସ୍ୱଚ୍ଛକର୍ମୀ ସେଗୁଡିକୁ ସଂଗେ ସଂଗେ ଉଠାଇ ନେଇଯାଏ । ଫଳରେ ସବୁ ଲୋକ ଉଠିବା ଆଗରୁ ରାସ୍ତା ପୁରା ଚକାଚକ୍ ହୋଇଯାଉଛି । ସବୁଦିନ ଆମ ରାସ୍ତାରେ ବିଏମ୍ ସିର ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ସୁପରଭାଇଜର, ପରିମଳ ନିରୀକ୍ଷକ ଏପରିକି ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ଚଞ୍ଚଳ ରାଣା ପ୍ରମୁଖ ନିୟମିତ ତଦାରଖ କରୁଛନ୍ତି । ଯଦି କେଉଁଠି କିଛି ଆବର୍ଜନା ରହିଥାଏ, ତେବେ ତାହାକୁ ସଂଗେସଂଗେ ସଫା କରାଯାଉଛି । ଜନ ଜାଗରଣ ସୃଷ୍ଟି କରିବା ସହ ସ୍ପଚ୍ଛତା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ରବିବାର ଓ ଅନ୍ୟାନ୍ୟ ଛୁଟି ଦିନଗୁଡିକରେ ନିୟମିତ ଗଣ ସଫେଇ ଜାରି ରହିଛି ।

ଖୋଲାସ୍ଥାନରେ ମଳମୂତ୍ର ତ୍ୟାଗ ନ କରିବା ପାଇଁ ବା ମଳମୂତ୍ର ମୁକ୍ତ ଭୁବନେଶ୍ୱର ଗଠନ ପାଇଁ ବିଏମ୍ ସି ପକ୍ଷରୁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନସ୍ଥଳ, ହାଟ, ବଜାର, ଛକ, ବିଭିନ୍ନ ବସ୍ତି ଆଦିରେ ଶତାଧିକ ସାର୍ବଜନୀନ ଓ ଗୋଷ୍ଠୀ ଶୌଚାଳୟ ଏବଂ ପରିଶ୍ରାଗାର ନିର୍ମାଣ କରାଯାଇଛି । ଶୌଚାଳୟଗୁଡିକର ରକ୍ଷଣାବେକ୍ଷଣ, ପରିଷ୍କାର ତଥା ସ୍ୱଚ୍ଛତା ରକ୍ଷା ପାଇଁ ସ୍ୱତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବା ସହ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରତ୍ୟେକ୍ଷ ଭାବେ ଯାଞ୍ଚ କରାଯାଉଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସୋଲାର ଓ୍ୱାଟର କିଓସ୍କୋ ପ୍ରତିଷ୍ଠା କରାଯାଇଛି । ଲୋକମାନେ ଯେପରି ଖରାଦିନେ ଥଣ୍ଡା ପାନୀୟ ଜଳ ପାଇବେ, ସେଥିପାଇଁ ସହରର 33 ଗୋଟି ସ୍ଥାନରେ ସୋଲାର ଓ୍ୱାଟର କିଓସ୍କ ପ୍ରତିଷ୍ଠା କରାଯାଇଛି । ସରକାରଙ୍କ ନିର୍ଦେଶ ମୁତାବକ ଗ୍ରୀନ ସିଟି ମିଶନ ଅଧିନରେ ଏହି ସୋଲାର ଓ୍ୱାଟର କିଓସ୍କ ପ୍ରତିଷ୍ଠା କରାଯାଇଛି ।

ସ୍ୱଚ୍ଛ ସର୍ବେକ୍ଷଣ ଅଧିନରେ ବିଏମ୍ ସି ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି । “ଥିଲେ ଦିଅ, ନଥିଲେ ନିଅ” । ଯେଉଁମାନଙ୍କର ଅଦରକାରୀ ପୋଷାକ, ବାସନକୁସନ, ବହି, ଖେଳନା ଆଦି ଜିନିଷ ରହିଛି, ସେମାନେ ବିଏମ୍ ସିର 3ଟି ଜୋନରେ ଥିବା ରିଡ୍ୟୁସ୍, ରିୟୁଜ୍, ରିସାଇକେଲ, ବା ଥ୍ରୀ ଆର୍ କେନ୍ଦ୍ରରେ ଦେଉଛନ୍ତି । ସେଥିପାଇଁ ସ୍ୱତନ୍ତ୍ର ସଂସ୍ଥା କାର୍ଯ୍ୟ କରୁଛି । ଅଦରକାରୀ ଜିନିଷକୁ ପୁନଃ ବ୍ୟବହାର ଉପଯୋଗୀ କରି ଯେଉଁମାନଙ୍କର ଆବଶ୍ୟକତା ଅଛି, ସେମାନଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଅଛି ।

ପୂର୍ବରୁ ଘରୋଇ ସେପ୍ଟିକ୍ ଟ୍ୟାଙ୍କରେ ପାଇଖାନାରୁ ବାହାରୁଥିବା ମଳପଙ୍କକୁ ଏଣେତେଣେ ପକାଉଥିଲେ । ଫଳରେ ପରିବେଶ ଅପରିଷ୍କାର ହେଉଥିଲା । ଏବେ ବିଏମ୍ ସିର ନିଜସ୍ୱ ସେପ୍ଟିକ୍ ଟ୍ୟାଙ୍କ ସହ କିଛି ତାଲିକା ଭୁକ୍ତ ଘରୋଇ ସେପ୍ଟିକ ଟ୍ୟାଙ୍କରେ ମଳପଙ୍କ ସଂଗ୍ରହ କରି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି, ତାର ପ୍ରକ୍ରିୟାକରଣ କରାଯାଉଛି । ସେଥିରୁ ନିର୍ଗତ ଜଳକୁ ପ୍ରାକୃତିକ ଉପାୟରେ ମଧ୍ୟ ପୁନଃ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି । ଯାହାକୁ ଦେଖି ବିଭିନ୍ନ ରାଜ୍ୟର ସ୍ୱାୟତ୍ତ ଶାସନ ସଂସ୍ଥା ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ବିଏମ୍ ସିର ଭୁରିଭୁରି ପ୍ରଶଂସା କରିଛନ୍ତି ।

ଲୋକମାନଙ୍କର ପରିମଳ ଜନିତ ବିଭିନ୍ନ ଅଭିଯୋଗ ଶୁଣିବା ସହ ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଟୋଲ୍ ଫ୍ରି ନମ୍ବର 1929 ଓ ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି । ଭୁବନେଶ୍ୱର ସଫା ଆପ୍, ପୋର୍ଟାଲ, ସାମାଜିକ ଗଣମାଧ୍ୟମ ଜରିଆରେ ଆସୁଥିବା ଅଭିଯୋଗଗୁଡିକୁ ତୁରନ୍ତ ସଂପୃକ୍ତ ଉପବିଭାଗୀୟ ଅଧିକାରୀଙ୍କନିକଟକୁ ପଠାଇ ଦିଆଯାଉଅଛି । ଫଳରେ ସେଗୁଡିକୁ ଉପବିଭାଗୀୟ ଅଧିକାରୀମାନେ ପ୍ରଭାବଶାଳୀ ଢଙ୍ଗରେ ସମସ୍ୟାର ସମାଧାନ କରୁଛନ୍ତି । ଅନେକ ସମସ୍ୟା ମଧ୍ୟ ପ୍ରତି ସୋମବାର ଦିନ ବିଏମ୍ ସିରେ ଅନୁଷ୍ଠିତ ହେଉଥିବା ଜନ ଶୁଣାଣି ଶିବିରରେ ସମାଧାନ କରାଯାଉଅଛି ।

ଭୁବନେଶ୍ୱର ବାସୀଙ୍କ ସହଯୋଗ ପାଇଁ ବିଏମ୍ ସି 2024-25 ଆର୍ଥିକ ବର୍ଷରେ ଦେଶର ସ୍ୱଚ୍ଛ ତାଲିକାର 9ମ ସ୍ଥାନରେ ରହିଥିଲା । ଏଥର ଅର୍ଥାତ୍ 2025-26ରେ ମଧ୍ୟ ନାଗରିକ, ଛାତ୍ର, ଛାତ୍ରୀ, ମହିଳା, ଯୁବକ, ଯୁବତୀ ସମସ୍ତେ https://cf.sbmurban.org/ ରେ କିମ୍ବା ବିଏମ୍ ସିର ସ୍ୱଚ୍ଛ ସର୍ବେକ୍ଷଣ କ୍ୟୁଆର କୋର୍ଡ ସ୍କାନ କରି ନିଜର ମତାମତ ଦିଅନ୍ତୁ ଏବଂ ଭୁବନେଶ୍ୱରକୁ ଦେଶର ଏକ ନମ୍ବର ସ୍ୱଚ୍ଛ ସହର କରିବାରେ ସହାୟକ ହେବାପାଇଁ ମେୟର ଶ୍ରୀମତୀ ସୁଲୋନଚା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande