
କେନ୍ଦ୍ରାପଡା , 08 ମେ (ହି.ସ.)କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ରାଜସ୍ୱ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲା ଖଣି ଅଧିକାରୀ, ଜିଲ୍ଲା ଅବକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାକୁ ଦିଆଯାଇଥିବା ଧାର୍ଯ୍ୟଲକ୍ଷ୍ୟଠାରୁ ଅଧିକ ରାଜସ୍ୱ ଆଦାୟ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ଆଇ.ଆର୍ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ସୁପରଭାଇଜର ମାନଙ୍କୁ ପ୍ରଶଂସା କରିଥିଲେ । ଏହି ବୈଠକରେ ଖଣିଚୋରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଲି ମାଟି ଇତ୍ୟାଦି ଚୋରା ଉଠାଇ ନେଉଥିବା ଗାଡି ଓ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନ୍ସସୁଗାର ବିକ୍ରି ବଢୁଥିବାରୁ ଅବକାରୀ ଅଧିକ୍ଷକଙ୍କୁ ଚୋରା ବ୍ୟବସାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଲୋଚନା କରାଯାଇଛି । ଏଥିସହିତ ବେଆଇନ୍ ଭାବେ ବାଲି ନେଇ ଯାଉଥିବା (ଟିପି ନଥିବା) ଗାଡି ଗୁଡିକୁ ଜବତ କରି ଜୋରିମାନା ଆଦାୟ କରିବା, ଦିନବେଳା ବାଲି, ଗୋଡି ଆଦି ବଡ ଗାଡି ଗୁଡିକୁ ସହର ଭିତରେ ପ୍ରବେଶ କରୁଥିବା ଦେଖିବାକୁ ପାଇଲେ ସେମାନଙ୍କଠାରୁ ଜୋରିମାନା ଆଦାୟ କରିବା ସହିତ ଗାଡିକୁ ଜବତ କରିବା ପାଇଁ ତହସିଲଦାର ଓ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ତହସିଲ୍ ଗୁଡିକରେ ପଡି ରହିଥିବା ରାଜସ୍ୱ କାର୍ଯ୍ୟଗୁଡିକୁ ତୁରନ୍ତ ସମାଧାନ କରି ଜନସାଧାରଣଙ୍କ କାମରେ ଲଗାଇବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ଉପଦେଶ ଦେଇଛନ୍ତି । ତହସିଲ୍ ମାନଙ୍କରେ ବେ ବନ୍ଦୋବସ୍ତ, ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ଆଦି ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଶ୍ରୀ ଆଇ.ଆର୍ ତହସିଲଦାରମାନଙ୍କୁ ସମୟସୀମା ମଧ୍ୟରେ ସବୁ କାର୍ଯ୍ୟ ଗୁଡିକୁ ସମାପ୍ତ କରିବା ପାଇଁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି