
ସମ୍ବଲପୁର, ୦୮, ମେ (ହି.ସ.) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ଆନୁକୁଲ୍ୟରେ ଆଜି ବିଶ୍ଵ ରେଡ଼କ୍ରସ ଦିବସ ତଥା ରେଡ଼କ୍ରସର ପ୍ରତିଷ୍ଠାତା ହେନେରୀ ଡୁଣାନ୍ଟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଆଲୋଚକ ଭାବରେ ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ଦେବେଶ କୁମାର ବିଶ୍ଵାଳ ଯୋଗଦେଇ ରେଡ଼କ୍ରସ୍ ସଂସ୍ଥାର ଇତିହାସ, କ୍ରମବିକାଶ, ହେନେରୀ ଡୁଣାନ୍ଟଙ୍କ ଅବଦାନ, ଆଭିମୁଖ୍ୟ, ମାନବ ସେବାରେ ତାଙ୍କର ଅବଦାନ, ବିପର୍ଯ୍ୟୟ ପରିଚାଳନା, ଯୁଦ୍ଧ ସମୟରେ ସେବା, ରକ୍ତଦାନ ଓ ସ୍ଵାସ୍ଥ୍ୟସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏତଦ୍ ବ୍ୟତୀତ ଚଳିତ ବର୍ଷର ରେଡ଼କ୍ରସ ଦିବସର ବାର୍ତ୍ତା ମାନବତା ପାଇଁ ଏକତାବଦ୍ଧ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସଙ୍ଗିତା ସେଠ, ଗ୍ରନ୍ଥାଗାରିକ ବିଭୁତି ଭୁଷଣ ସାହୁ ଓ ଶିକ୍ଷା ବିଭାଗର ଶୈକ୍ଷିକ ସହାୟକ ସୁଦାମ ଚରଣ ସାହୁ ରେଡ଼କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଓ ଉପକାରିତା ବିଷୟରେ ବିଶ୍ଳେଷଣ କରିଥିଲେ । ଶେଷରେ ସ୍ନାତକ ଶ୍ରେଣୀର ଛାତ୍ର ଉମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ