ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଆବାସିକ ବିଦ୍ୟାଳୟର ସୁବିଧା ବୃଦ୍ଧି ଦାବି
ମାଲକାନଗିରି,୮ ମଇ (ହି.ସ.) - ମାଲକାନଗିରି ଜିଲ୍ଲା ସଦରମହକୁମାରେ ଅବସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଆବାସିକ ବିଦ୍ୟାଳୟ ୨୦୧୬ ମସିହାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଟିଗୁଡା ସହ ଅନୁବନ୍ଧିତ ହୋଇ ସଫଳତାର ସହ ଚାଲୁ ରହିଛି । ବର୍ତମାନ ଏହି ଆବାସିକ ବିଦ୍ୟାଳୟରେ ୨ୟ ଶ୍ରେଣୀରେ ୨ ଜଣ, ୩ୟ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଆବାସିକ ବିଦ୍ୟାଳୟର ସୁବିଧା ବୃଦ୍ଧି ଦାବି


ମାଲକାନଗିରି,୮ ମଇ (ହି.ସ.) - ମାଲକାନଗିରି ଜିଲ୍ଲା ସଦରମହକୁମାରେ ଅବସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଆବାସିକ ବିଦ୍ୟାଳୟ ୨୦୧୬ ମସିହାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଟିଗୁଡା ସହ ଅନୁବନ୍ଧିତ ହୋଇ ସଫଳତାର ସହ ଚାଲୁ ରହିଛି । ବର୍ତମାନ ଏହି ଆବାସିକ ବିଦ୍ୟାଳୟରେ ୨ୟ ଶ୍ରେଣୀରେ ୨ ଜଣ, ୩ୟ ଶ୍ରେଣୀରେ ୯ ଜଣ, ୪ର୍ଥ ଶ୍ରେଣୀରେ ୫ ଜଣ, ୫ମ ଶ୍ରେଣୀରେ ୯ ଜଣ, ୬ଷ୍ଠ ଶ୍ରେଣୀରେ ୧୩ ଜଣ, ୭ମ ଶ୍ରେଣୀରେ ୮ ଜଣ ଏବଂ ୮ମ ଶ୍ରେଣୀରେ ୫ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି ।

ଜିଲ୍ଲାରେ ଆବାସିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଡିଆ ବ୍ଲକର କାଲଦାପାଲି ଓ ବାଲିମେଳା ନିକଟସ୍ଥ ନିଲାନ୍ଦ୍ରିନଗରରେ ମଧ୍ୟ ଏହିପରି ଆବାସିକ ବ୍ୟବସ୍ଥା ଗଢିଉଠିଥିବା ଜଣାପଡିଛି । ତଥାପି ଜିଲ୍ଲା ସଦରରେ ଥିବା ଏହି ସର୍ବପୁରାତନ ଆବାସିକ ବିଦ୍ୟାଳୟ ପ୍ରତି ଲୋକଙ୍କ ଆସ୍ଥା ଅବିଚଳ ରହିଛି ।

ଏହି ଆବାସିକ ବିଦ୍ୟାଳୟରେ ଡ୍ରପ୍ଆଉଟ୍, ଶିଶୁ ଶ୍ରମିକ, ଏକକ ଅଭିଭାବକ ପରିବାରର ପିଲା, ଅନାଥ ଓ ବିଶେଷ ଆବଶ୍ୟକତା ଥିବା ପୁଅ ପିଲାଙ୍କୁ ପ୍ରାଥମିକତା ଦିଆଯାଉଛି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସମଗ୍ର ଶିକ୍ଷା ଅଭିଯାନ ବିଭାଗର ଅନୁମୋଦନ ପରେ ପିଲାମାନେ ଏଠାରେ ରହି ଶିକ୍ଷା ଗ୍ରହଣ କରୁଥିବା ସୂଚନା ମିଳିଛି । ପ୍ରତ୍ୟେକ ପିଲାଙ୍କ ପାଇଁ ମାସିକ ପ୍ରାୟ ୨୨୦୦ ଟଙ୍କା ଖାଦ୍ୟ ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀରେ ଖର୍ଚ୍ଚ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ବର୍ଷତମାମ ଦୁଇଜଣ ପାର୍ଟ ଟାଇମ୍ ଶିକ୍ଷକ ସକାଳ ଓ ସନ୍ଧ୍ୟାରେ ଦୁଇ ଘଂଟା ଲେଖାଏଁ ଅତିରିକ୍ତ ପାଠ ପଢାଉଥିବାବେଳେ ଆଉ ଜଣେ ଶିକ୍ଷକଙ୍କ ଆବଶ୍ୟକତା ଥିବା ଅଭିଭାବକମାନେ ଦାବି କରିଛନ୍ତି । ଏହାସହ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିଦ୍ୟାଳୟରେ ୱାଚମ୍ୟାନ୍ ଓ ପିଅନ୍ ପଦ ଖାଲି ରହିଥିବାରୁ ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ହେଉଥିବା ଜଣାପଡିଛି ।

ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ପିଲାମାନଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା ଥିବାବେଳେ ସାଧାରଣ ବର୍ଗର ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ଆବାସିକ ସୁବିଧା ନଥିବାରୁ ଏହି ବିଦ୍ୟାଳୟର ଆସନ ସଂଖ୍ୟା ବୃଦ୍ଧି ପାଇଁ ଦାବି ଜୋର ଧରିଛି । ପଡିଆ ବ୍ଲକର କାଲଦାପାଲି ଓ ବାଲିମେଳା ନିକଟ ନିଲାନ୍ଦ୍ରିନଗରରେ ପ୍ରତ୍ୟେକ ଛାତ୍ରାବାସରେ ୧୦୦ ଜଣ ଲେଖାଏଁ ଛାତ୍ରଙ୍କୁ ରଖିବା ବ୍ୟବସ୍ଥା ଥିବାରୁ ଜିଲ୍ଲା ସଦରର ଏହି ପୁରାତନ ବିଦ୍ୟାଳୟରେ ମଧ୍ୟ ୧୦୦ ଜଣ ପର୍ଯ୍ୟନ୍ତ ଛାତ୍ର ରହିବାକୁ ସୁବିଧା ବୃଦ୍ଧି କରିବା ପାଇଁ ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି ।

ପିଲାଙ୍କ ଭବିଷ୍ୟତ ଓ ଜିଲ୍ଲାର ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ଅତିରିକ୍ତ ଶିକ୍ଷକ ବ୍ୟବସ୍ଥା ଏବଂ ଛାତ୍ରାବାସ ସୁବିଧା ବୃଦ୍ଧି ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବାକୁ ଅଭିଭାବକ ଓ ସାମାଜିକ ସଂଗଠନମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande