
କେନ୍ଦ୍ରାପଡା , 08 ମେ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ମାମଲା ଗୁଡିକର ଶୀଘ୍ର ସମାଧାନ ଏବଂ ଅଭିଯୋଗ ତ୍ୱରିତ ଶୁଣାଣୀ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ମାସରେ ବିଭିନ୍ନ ତହସିଲ୍ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣ ଲୋକଙ୍କ ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ଗୁଡିକ ଶୁଣାଣୀ କରି ସେଗୁଡିକୁ ସମାଧାନ କରିବେ । ଆସନ୍ତା ୧୪ ତାରିଖ ପଟ୍ଟାମୁଣ୍ଡାଇ ତହସିଲ୍ରେ ଉପଜିଲ୍ଲାପାଳ ୧୫ ତାରିଖ ମାର୍ଶାଘାଇ ତହସିଲ୍ରେ ଜିଲ୍ଲାପାଳ, ୧୯ ତାରିଖରେ ମହାକାଳପଡା ତହସିଲ୍ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ୨୦ ତାରିଖରେ ଡେରାବିଶ ତହସିଲ୍ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ୨୯ ତାରିଖରେ କନିକା ତହସିଲ୍ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଭିଯୋଗ ଶୁଣିବେ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୭ଟା ୩୦ ମିନିଟ୍ରୁ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜସ୍ୱ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି