
କେନ୍ଦ୍ରାପଡା , 08 ମେ (ହି.ସ.)ଆଜିକାଲି ଯୁବପିଢ଼ି ହୋଟେଲ ଓ ପାର୍ଟି ମାଧ୍ୟମରେ ଜନ୍ମଦିନ ପାଳନ କରୁଥିବା ବେଳେ, ପାଟକୁରା ଅଞ୍ଚଳ କିଣିଲୋ ଗ୍ରାମର ସମାଜସେବୀ ମୋହିନୀ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ସେ ପାଟକୁରା ଅଞ୍ଚଳର କୋରୁଆ ସେବାଶ୍ରମକୁ ଯାଇ ସେଠାରେ ଥିବା ଅସହାୟ ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ମୋହିନୀ କେକ୍ କାଟି ପିଲାମାନଙ୍କ ସହ ଖୁସି ବାଣ୍ଟିବା ସହିତ ଖାଦ୍ୟ ସାମଗ୍ରୀ ଓ ଆବଶ୍ୟକୀୟ ଜିନିଷ ବଣ୍ଟନ କରିଥିଲେ। ପିଲାମାନଙ୍କ ପାଇଁ ନାଚଗୀତ କାର୍ୟ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ମୋହିନୀ ସ୍ୱୟଂ ପିଲାମାନଙ୍କ ସହ ଯୋଗଦେଇ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ କୃତୀ ପିଲାମାନଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ। ସେବାଶ୍ରମ ପକ୍ଷରୁ ମୋହିନୀଙ୍କ ଏହି ମାନବିକ ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା। ମୋହିନୀ କହିଥିଲେ ଯେ, ସମାଜର ଅସହାୟ ପିଲାମାନଙ୍କ ସହ ଖୁସି ବାଣ୍ଟିବାରେ ଯେଉଁ ଆତ୍ମସନ୍ତୋଷ ମିଳେ, ତାହା ଅନ୍ୟ କୌଣସି ଆନନ୍ଦରେ ମିଳେନାହିଁ। ମୋହିନୀ ଙ୍କ ପିତା ମାତା ଏବଂ ସାଙ୍ଗସାଥୀ କାର୍ୟ୍ୟକ୍ରମରେ ସାମିଲ ହୋଇଥିବା ବେଳେ ତାଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ରବି