
ବୌଦ୍ଧ, ୮ ମଇ (ହି.ସ.)- ବୌଦ୍ଧ ଜିଲ୍ଲା ରେଡକ୍ରସ ସୋସାଇଟି ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଏକ ଜନ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିଲା । ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ପ୍ରମୁଖ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଯୁବ ରେଡକ୍ରସ ସଦସ୍ୟ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ସମାଜସେବୀ ସଂଗଠନର ସଦସ୍ୟମାନେ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆରକ୍ଷୀ ବାହିନୀ ପ୍ରମୁଖ ଯୋଗଦେଇ ମାନବ ସେବା, ରକ୍ତଦାନ ଓ ଦୁର୍ଯ୍ୟୋଗ ସମୟରେ ସହଯୋଗର ସନ୍ଦେଶ ପ୍ରଚାର କରିଥିଲେ । ପରେ ବୌଦ୍ଧ ଟାଉନ ହଲ୍ ରେ ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ ବୌଦ୍ଧ ଯୁଗଳ କିଶୋର ବିଶ୍ବାଳ, ତହସିଲଦାର ଅନିତା କୁମାରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ବାଗତ ସମ୍ଭାଷଣ ସହିତ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୋଇ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାରେ ଅତିଥିମାନେ ରେଡକ୍ରସର ସଂସ୍ଥାପକ ସାର୍ ହେନ୍ରି ଡ୍ୟୁନାଣ୍ଟଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ସମାଜ ପ୍ରତି ମହାନ ଅବଦାନକୁ ସ୍ମରଣ କରିଥିଲେ l ମାନବତା, ନିଷ୍ପକ୍ଷତା, ସମାଜସେବା ଓ ସହଯୋଗ ଭଳି ରେଡକ୍ରସର ମୂଳ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଟାଉନ ହଲ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସଭା ମଞ୍ଚରେ ଉପଜିଲ୍ଲାପାଳ, ତହସିଲଦାର ବୌଦ୍ଧ, ଅବକାରୀ ଅଧିକ୍ଷକ ପ୍ରମୁଖଙ୍କୁ ରେଡକ୍ରସକୁ ଅଧିକ ସହାୟତା ପାଣ୍ଠି ଯୋଗାଇଥିବାରୁ ସମ୍ମାନିତ କରାଯାଇଥିଲା। ରେଡ଼କ୍ରସ୍ ର ସ୍ଵେଚ୍ଛା ସେବୀ ଏବଂ ଲାଇଫ୍ ଟାଇମ ମେମ୍ବର ଓ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରକ୍ତଦାନ ଶିବିରରେ ଅନ୍ୟମାନଙ୍କ ସହ ଡି.ଡବ୍ଲୁ.ଓ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ, ଏବଂ ତାଙ୍କ ପୁଅ ଓ ଝିଅ ମିଳିତ ଭାବରେ ରକ୍ତଦାନ କରିଥିଲେ । ସମାରୋହରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ରେଡକ୍ରସ କର୍ମକର୍ତ୍ତା, ଯୁବ ରେଡକ୍ରସ ସଦସ୍ୟ, ଆରକ୍ଷୀ ବାହିନୀ, ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ସମାଜସେବା ମାଧ୍ୟମରେ ମାନବତାର ସୁରକ୍ଷା ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ କରିବାକୁ ସମସ୍ତେ ସଙ୍କଳ୍ପ ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ