
ଝାରସୁଗୁଡା, ୯ ମଇ (ହି.ସ.)- ଝାରସୁଗୁଡା ଅବକାରୀ ବିଭାଗ ପକ୍ଷରୁ ଏକ ବିଶେଷ ଚଢ଼ଉରେ ୩୦ କେଜି ଭାଙ୍ଗ ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ପ୍ରମୋଦ ଶ୍ରୀବାସ । ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଝାରସୁଗୁଡା ଅବକାରୀ ଟିମ୍ ଦ୍ୱାରା ଝାରସୁଗୁଡା ଟାଉନ ଥାନା ଅଞ୍ଚଳର ଝଣ୍ଡାଛକ ପରଦେଶୀପଡା ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୩୦ କେଜି ଭାଙ୍ଗ ଜବତ ହୋଇଥିଲା । ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି । ଏଥିସହ ଆଗାମୀ ଦିନରେ ମାଦକ ଦ୍ରବ୍ୟ ବିରୋଧୀ ଚଢ଼ଉକୁ ଆହୁରି କଡାକଡି କରାଯିବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଚଢ଼ଉରେ ଅବକାରୀ ନିରୀକ୍ଷକ ଯାଜ୍ଞସେନୀ ପ୍ରଧାନ, ସହ-ଉପ ନିରୀକ୍ଷକ ନିତ୍ୟାନନ୍ଦ ବେହେରା, ଅବକାରୀ ଆରକ୍ଷୀ ଅବନୀ ସା, ତାପସ କୁମାର ପଟେଲ ଓ ଫୁଲତୁଳି ନାଏକ ପ୍ରମୁଖ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ