
ଝାରସୁଗୁଡ଼ା, ୦୯ ମେ (ହି.ସ.) - ଝାରସୁଗୁଡ଼ା ପୋଲିସର ଅପରେସନ୍ ‘ନେତ୍ର’ ଅଧୀନରେ ଏକ ବଡ଼ ସଫଳତା ମିଳିଛି। ସହରର ସିରିଆବଗିଚା ଅଂଚଳରେ ଚାଲୁଥିବା ଏକ ନକଲି ଡିଜେଲ ଏକ୍ସଜଷ୍ଟ ଫ୍ଲୁଇଡ୍ (ଡିଇଏଫ) ପ୍ରସ୍ତୁତ କାରଖାନା ଉପରେ ସଦର ଥାନା ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି। ଏହାସହ ବିପୁଳ ପରିମାଣର କଚ୍ଚାମାଲ, ନକଲି ପ୍ୟାକେଜିଂ ସାମଗ୍ରୀ ଏବଂ ଦୁଇଟି ବୋଲେରୋ ପିକଅପ୍ ଭ୍ୟାନ ଜବତ କରାଯାଇଛି।
ଶନିବାର ଆୟୋଜିତ ପ୍ରେସମିଟରେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏହି ସୂଚନା ଦେଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏସପି ପାହ୍ୟା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ାଉ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ଚାଷୀଙ୍କ ପାଇଁ ସରକାରୀ ରିହାତିରେ ମିଳୁଥିବା ୟୁରିଆ ସାରକୁ ବେଆଇନ ଭାବେ ବ୍ୟବହାର କରି ନକଲି ଡିଇଏଫ ପ୍ରସ୍ତୁତ କରାଯାଉଥିଲା। ପରେ ସେହି ସାମଗ୍ରୀକୁ ଟାଟା ଓ ଅଶୋକ ଲେଲ୍ୟାଣ୍ଡ ଭଳି ନାମୀ କମ୍ପାନୀର ଲୋଗୋ ଲଗା ଥିବା ବାଲ୍ଟିରେ ଭରି ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିଲା।
ଏହି ମାମଲାରେ ରାଜସ୍ଥାନର ମୁକେଶ ଚାନ୍ଦ ଯୋଗୀ, ଝାରସୁଗୁଡ଼ାର ରାଜ କୁମାର ହେମ୍ରମ, ଲମଟିବାହାଲର ଅମନ କୁମାର ସିଂହ, ବ୍ରିଜଭୂଷଣ ସିଂହ, ଛତିଶଗଡ଼ର ଜିଆଉଲ ଅନସାରୀ, ବରଗଡ଼ର ଆକାଶ ଅଗ୍ରୱାଲ ଏବଂ ତାଳଚେରର ପାର୍ଥ ସାରଥି ମିଶ୍ରଙ୍କୁ ପୋଲିସ ଗିରଫ କରିଛି।
ଚଢ଼ାଉ ସମୟରେ ୨୫୬ ବସ୍ତା ଭାରତ ୟୁରିଆ ସାର, ୪୨୨ଟି ଖାଲି ବାଲ୍ଟି, ୧୫୦ଟି ଟାଟା ଜେନୁଇନ୍ ପାର୍ଟସ୍ ହୋଲୋଗ୍ରାମ ଷ୍ଟିକର, ୨ଟି ସିନଟେକ୍ସ ଟାଙ୍କି, ପାଣି ମୋଟର ଓ ଡିଇଏଫ ବୋଝେଇ ଦୁଇଟି ବୋଲେରୋ ପିକଅପ୍ ଭ୍ୟାନ ଜବତ କରାଯାଇଛି।
ଏହି ଚଢ଼ାଉ ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ କୃଷି ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସାମଗ୍ରୀର ଯାଂଚ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଏସପି କହିଛନ୍ତି ଯେ, ଏହି ନକଲି ଡିଇଏଫ ଚକ୍ରର ଲିଙ୍କ ଛତିଶଗଡ଼ ପର୍ଯ୍ୟନ୍ତ ରହିଥିବା ସନ୍ଦେହ ରହିଛି। ନିମ୍ନମାନର ଡିଇଏଫ ବ୍ୟବହାର ଯୋଗୁଁ ଗାଡ଼ିର ଇଞ୍ଜିନ ଗୁରୁତର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଗାଡ଼ି ମାଲିକ ଏବଂ ପରିବହନ ସଂସ୍ଥାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରେସମିଟରେ ଏସଡିପିଓ ଉମାଶଙ୍କର ସିଂହ, ସଦର ଆଇଆଇସି ସ୍ୱପ୍ନାରାଣୀ ଗୋଛାୟତ ସହ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ