

ସାକ୍ଷିଗୋପାଳ, ୯ ମଇ (ହି.ସ.)- ଆଜି ଶ୍ରୀକ୍ଷେତ୍ରେ ଭଉଁରୀ । ଏହି ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ଉତ୍ସବ ମୁଖର ହୋଇଉଠିଛି । ସାକ୍ଷୀଗୋପିନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ସାକ୍ଷୀଗୋପିନାଥଙ୍କ ଚନ୍ଦନ ବେଶ ଓ ପଣା ଭୋଗ ସମ୍ପନ୍ନ ହେବା ପରେ ଅପରାହ୍ନରେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣିବିମାନରେ ଝୁଲି ଝୁଲି ଚନ୍ଦନ ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥିଲେ । ଚାପ ଡ଼ଙ୍ଗାରେ ବିଜେ କରି ନୌକାବିହାର କରିଥିଲେ । ସେଠାରେ ଦିନ ଚାପ ୭ ଘେରା ଏବଂ ପରେ ରାତି ଚାପ ୨୧ ଘେରା ସମ୍ପନ୍ନ ହୋଇଛି । କୁନି କୁନି କଳାକାର ମାନଙ୍କ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ସାଙ୍ଗକୁ କାହାଳୀ, ବାଦ୍ୟ ଓ ଘଂଟ ଘଂଟାର ଶବ୍ଦ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ମହାପ୍ରଭୁଙ୍କ ଏହି ଜଳ କ୍ରୀଡ଼ାରେ ଅନେକ ସେବକଙ୍କ ସେବା ରହିଥିବା ବେଳେ ନାଉରିଆ ମାନେ ପ୍ରମୁଖ ସେବା କାର୍ଯ୍ୟ ତୁଲାଇଛନ୍ତି । ବର୍ଷକୁ ମାତ୍ର ଏକୋଇଶି ଦିନ ସେବାରେ ନିୟୋଜିତ ନାଉରିଆମାନେ ବଂଶଗତ ଭାବେ ପିଢି ପରେ ପିଢି ଏହି ସେବା କାର୍ଯ୍ୟ କରିଆସୁଛନ୍ତି । ଆଜି ଚନ୍ଦନ ଯାତ୍ରା ୨୦ ଦିନରେ ପହଂଚିଥିବା ବେଳେ ଆସନ୍ତାକାଲି ୨୧ ଦିନରେ ସମ୍ପୂର୍ଣ୍ଣ ହେବ । ଆସନ୍ତାକାଲି ମହାପ୍ରଭୁଙ୍କ କେବଳ ରାତିଚାପ ଅନୁଷ୍ଠିତ ହେବ ।
ଶନିବାର ସାକ୍ଷିଗୋପାଳଙ୍କ ଦୈନନ୍ଦିନ ନୀତିକାନ୍ତି ମୁତାବକ, ଦ୍ୱାରଫିଟା, ମଙ୍ଗଳଆଳତୀ, ମଇଲମ, ଅବକାଶ, ସକାଳ ଧୂପ ସମ୍ପନ୍ନ ହୋଇଥିଲା । ସକାଳ ଧୂପରେ ସାକ୍ଷିଗୋପାଳଙ୍କୁ କାକେରା ଭୋଗ ଲାଗି କରାଯାଇଥିଲା । ଅନେକ ଭକ୍ତ ମାନସିକଧାରୀ ମନ୍ଦିରରେ ଚୁଡ଼ାଘଷା ଓ ସିରିଣୀ ଭୋଗ ପ୍ରସ୍ତୁତି କରି ଠାକୁରଙ୍କୁ ଲାଗି କରିଥିଲେ । ଭଉଁରୀ ପାଇଁ ଦୋକାନ, ବଜାର, ଭଳିକି ଭଳି ଖାଦ୍ୟର ଷ୍ଟଲ୍ ମାନଙ୍କରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦିନ ଓ ରାତି ଚାପ ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ