
ଗଞ୍ଜାମ, ୯ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଢାବା ସମ୍ମୁଖରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଯାତ୍ରା କରୁଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ଉଭୟ ଗାଡିର ସାମ୍ନା ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଛି ।
ସୂଚନା ଅନୁଯାୟୀ, ଏହି ଘରୋଇ ଯାତ୍ରୀବାହୀ ବସ୍ ଟି ଆଜି ସକାଳୁ ପୋଲସରାରୁ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା । ଏହି ସମୟରେ କୋଦଳା ଥାନା ଅନ୍ତର୍ଗତ ବାଲିଢାବା ସମ୍ମୁଖରେ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ୍ ରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ଟ୍ରକ୍ ରେ ଚାପି ହୋଇ ରହିଥିବା ଚାଳକଙ୍କୁ ଉଦ୍ଧାର କରିଛି । ତାଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ