
ଭୁବନେଶ୍ୱର, 09 ମଇ (ହି.ସ.) ବରିଷ୍ଠ ଟ୍ରେଡ୍ ୟୁନିୟନ୍ ନେତା ଏବଂ ସେଂଟର ଫର ଇଂଡିଆନ ଟ୍ରେ଼ଡ ୟୁନିୟନ (ସିଟୁ)ର ଅଖିଳ ଭାରତ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କର ଶୁକ୍ରବାର ଭୋର ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘଦିନ ଧରି ଡାଇବେଟିସ୍ ସମ୍ବନ୍ଧୀୟ ଜଟିଳତାରେ ପୀଡ଼ିତ ଥିଲେ ଏବଂ ଚିକିତ୍ସାଧୀନ ଥିଲେ।
ବିଷ୍ଣୁ ମହାନ୍ତି ଓଡ଼ିଶାର ଶ୍ରମିକ ଆନ୍ଦୋଳନର ଏକ ସଶକ୍ତ ଏବଂ ପ୍ରଭାବଶାଳୀ ଚେହେରା ଥିଲେ। ସେ ଛାତ୍ର ରାଜନୀତିରୁ ନିଜ ସାର୍ବଜନୀନ ଜୀବନ ଆରମ୍ଭ କରିଥିଲେ ଏବଂ ଏସଏଫଆଇ ସହ ସକ୍ରିୟ ଭାବେ ଜଡିତ ଥିଲେ। ଛାତ୍ରଜୀବନରେ ସେ ରାଉରକେଲା ସରକାରୀ କଲେଜ ଛାତ୍ର ସଂଘର ତିନିଥର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ସହିତ ସେ ରାଉରକେଲା ଲ’ କଲେଜ ଛାତ୍ର ସଂଘର ସଭାପତି ପଦକୁ ମଧ୍ୟ ତିନିଥର ଅଳଙ୍କୃତ କରିଥିଲେ।
ପରେ ସେ ସିପିଏମ ର ରାଜ୍ୟ ସଚିବମଣ୍ଡଳର ବରିଷ୍ଠ ସଦସ୍ୟ ହୋଇଥିଲେ। ସେ ଓଡ଼ିଶାରେ ସିଟୁର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଜାତୀୟ ଉପାଧ୍ୟକ୍ଷ ଭାବେ ଦୀର୍ଘ ସମୟ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଥିଲେ। ସୁନ୍ଦରଗଡ଼ ସହିତ ରାଜ୍ୟର ବିଭିନ୍ନ ଶ୍ରମିକ ସଂଗଠନରେ ସେ ସଭାପତି ଓ ସାଧାରଣ ସମ୍ପାଦକ ଭାବେ ନେତୃତ୍ୱ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ